(ପାରାଦ୍ବୀପ / ପ୍ରଶାନ୍ତ କୁମାର ସ୍ବାଇଁ) : ଦିର୍ଘ ୨୦ ବର୍ଷ ପରେ ଡ୍ରେଜିଂ ହେଲା ପାରାଦ୍ବୀପ ମହାନଦୀ ମୁହାଣ। ଦୈନିକ ମାଛ ରପ୍ତାନୀ ୨୫ ଟନ୍ କୁ ବୃଦ୍ଧି ପାଇବାର ଆଶା।ପାରାଦ୍ୱୀପ ବନ୍ଦର ମାଛ ଧାରା ବନ୍ଦର ଭାବେ ମାନ୍ୟତା ପାଇଁ ପରେ ସେଠାରେ ଖୁସିର ମାହୋଲ । ଉପକୃତ ହେବେ ୬୦ ହଜାରରୁ ଊର୍ଦ୍ଧ୍ବ ମତ୍ସ୍ୟଜୀବୀ ପରିବାର।
ମାନ୍ୟତା ଓ ୟୁରୋ ଟିମ୍ ର ପ୍ରସଂଶା ସାଉଁଟି ଥିବା ପାରାଦ୍ବୀପ ମାଛଧରା ବନ୍ଦର ରେ ଖୁସିର ଲହରୀ। ଦିର୍ଘ ୨୦ ବର୍ଷ ପରେ ମତ୍ସ୍ୟଜୀବୀ ମାନଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ମହାନଦୀ ମୁହାଣ କରାଯାଇଛି ଡ୍ରେଜିଂ। ମୁହାଣ ମୁହଁରେ ବାଲି ପୋତି ହୋଇଯିବାରୁ ବିଭିନ୍ନ ସମୟରେ ବୋଟ୍ ଗୁଡିକ ଦୁର୍ଘଟଣା ଗ୍ରସ୍ତ ହେବା ସହିତ ବହୁ ମତ୍ସ୍ୟଜୀବୀଙ୍କ ଜୀବନ ଯାଇଛି ଏହି ମୁହାଣରେ। ତେଣୁ କ୍ଷମତା ଅନୁସାରେ ମାଛ ଉତ୍ପାଦନ କ୍ଷେତ୍ରରେ କମ୍ ମାଛ ଉତ୍ପାଦନ ହେଉଥିଲା ଏହି ମାଛଧରା ବନ୍ଦରରେ। ଯନ୍ତ୍ର ଚାଳିତ ଡଙ୍ଗା ଓ ବୋଟ୍ ମାଲିକ ମାନେ ମହାନଦୀ ମୁହାଣ ବଦଳରେ ବରୁଣେଇ ମୁହାଣ ବ୍ୟବହାର କରୁଥିଲେ ସମୁଦ୍ରକୁ ଯିବା ପାଇଁ। ଫଳରେ ୭୦ ଲିଟରରୁ ଉର୍ଦ୍ଧ ଡିଜେଲ ଅଧିକ ଖର୍ଚ୍ଚ ହେବା ସହିତ ବନ ବିଭାଗ ଦ୍ବାରା ମଧ୍ୟ ନିର୍ୟ୍ୟାତିତ ହେଉଥିବା ଅଭିଯୋଗ ହେଉଥିଲା। ତେଣୁ ମୁହାଣ ଖୋଳା ହେବାଦ୍ବାରା ମତ୍ସ୍ୟଜୀବୀ ଓ ବୋଟ୍ ମାଲିକ ମାନେ ଅଧିକ ଖର୍ଚ୍ଚାନ୍ତରୁ ବଞ୍ଚିବା ସହିତ ଅଧିକ ଲାଭ ମଧ୍ୟ ପାଇବେ ବୋଲି ଆଶାବ୍ୟକ୍ତ କରିଛନ୍ତି। ୨୦୦୦ ମସିହା ପରଠାରୁ ଏହି ମୁହାଣ ଖୋଲାଯାଇ ନଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାର ଖନନ ପାଇଁ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ କୁ ଚିଠି ଲେଖିଥିଲେ। ବିଳମ୍ବରେ ହେଉ ପଛେ ଏହି କାର୍ୟ୍ୟ ଏବେ ଶେଷ ହୋଇଥିବାରୁ ମତ୍ସ୍ୟଜୀବୀ ସଙ୍ଘ ଓ ଟ୍ରଲର ମାଲିକ ସଂଘ ପକ୍ଷରୁ ବନ୍ଦର ପ୍ରଶାସନକୁ କୃତଜ୍ଞତା ଜଣାଇବା ସହିତ ପ୍ରତିବର୍ଷ ଏହାକୁ ଖନନ କରିବାକୁ ଦାବି କରିଛନ୍ତି।
ଦିର୍ଘଦିନର ସମସ୍ୟା ଦୂର ହୋଇଛି ।ରାଜ୍ୟ ସରକାରଙ୍କ ତତ୍ପରତା ଓ ପାରାଦ୍ବୀପ ବନ୍ଦରର ସହଯୋଗ ସେମାନଙ୍କ ପାଇଁ ଏକ ନୂତନ ଆଶା ସୃଷ୍ଟି କରିଛି।