ମଦ ଦୁର୍ନୀତି ମାମଲାରେ ଦୀର୍ଘ ୧୭ ମାସ ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବାହାରିଲେ ତିହାର ଜେଲରୁ । ମଦ ଘୋଟାଲାରେ ବିଗତ ୧୮ ମାସ ତଳେ ମନୀଷଙ୍କୁ ଗିରଫ କରଥିଲା ଇଡି । ତେବେ ତିହାର ଜେଲରେ ସେ ୧୭ ମାସ ହେବ ରହିଥିଲେ । ବାରମ୍ବାର ଜାମିନ ଆବେଦନ କରିଥିଲେ ମଧ୍ୟ ପ୍ରତିଥର ଜାମିନ ନାମଞ୍ଜୁର ହେଉଥିଲା । ଶେଷରେ ଶୁକ୍ରବାର ସୁପ୍ରିମ କୋର୍ଟରୁ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି ।
ସିସୋଦିଆ ବାହାରକୁ ବାହାରିବା ପରେ ପ୍ରଥମେ କେଜରିବାଲଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ଭେଟିଥିଲେ । ଏବେ କେଜରିବାଲ ତିହାର ଜେଲରେ ଅଛନ୍ତି । ସୁପ୍ରିମ କୋର୍ଟ ସିସୋଦିଆଙ୍କୁ ଜାମିନ ଦେଇଥିବା ବେଳେ ରଖିଛନ୍ତି ତିନୋଟି ସର୍ତ୍ତ । ୧୦-୧୦ ଲକ୍ଷ ଟଙ୍କାର ବେଲ ବଣ୍ଡ ସହ ପାସପୋର୍ଟ କୋର୍ଟଙ୍କ ନିକଟରେ ଜମା କରିବାକୁ କୁହାଯାଇଛି । ତୃତୀୟରେ ଏହି ଜାମିନ କାଳରେ ଯେମିତି ସିସୋଦିଆ କୌଣସି ତଥ୍ୟ ପ୍ରମାନ ନଷ୍ଟ କରିବାକୁ ବା ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ, ତା ଉପରେ ତାଗିଦ କରିଛନ୍ତି ସର୍ବୋଚ୍ଚ କୋର୍ଟ ।