( ଉଦଳା / ଦୀପକ ମିଶ୍ର): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅଧିନ କୁକୁରଡିମା ମଣ୍ଡିରେ ଚାଷୀଙ୍କ ସମସ୍ୟା କହିଲେ ନ ସରେ । ଏହି ମଣ୍ଡିକୁ ଧାନ ବିକିବାକୁ ଆସିଥିବା ଚାଷୀଙ୍କ ଧାନ କିଣିବାକୁ କେହି ନାହାନ୍ତି । ଗତ ଜାନୁୟାରୀ ମାସଠାରୁ ଏହି ମଣ୍ଡିରେ ଧାନବିକ୍ରୀ କରାଯିବା ନିମନ୍ତେ ଚାଷୀମାନଙ୍କୁ କୁହାଯାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ମିଲର କିମ୍ବା ମଣ୍ଡି କର୍ତ୍ତୃପକ୍ଷ କେହି ସେଥିପ୍ରତି ଧ୍ୟାନ ଦେଉନାହାନ୍ତି । ଯାହାଫଳରେ ମଣ୍ଡିରେ ୪୦ରୁ ଅଧିକ ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ ଦୁଇମାସ ଧରି ପଡିରହିଛି । ଯାହାକୁ ନେଇ ବାରମ୍ବାର ଚାଷୀମାନେ ଉପଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଏଆରସିଏସ ପର୍ଯ୍ୟନ୍ତ ସମସ୍ତଙ୍କୁ ବାରମ୍ବାର ଅବଗତ କରାଇବା ସହିତ ସେମାନଙ୍କ ନିକଟରେ ଅଭିଯୋଗ କରିଛନ୍ତି । ହେଲେ କେବଳ ମିଳିଛି ପ୍ରତିଶ୍ରୃତି । ଏହି ମଣ୍ଡିରୁ ୪ହଜାର ୮ଶହ କୁଇଣ୍ଟାଲ ଧାନକିଣା ଯାଇଥିବା ମିଲର ଏବଂ ଏଆରସିଏସ କହୁଥିବାବେଳେ ବାସ୍ତବରେ କିନ୍ତୁ ଏହି ମଣ୍ଡିରୁ କୌଣସି ଚାଷୀଙ୍କ ନିକଟରୁ ଧାନ କିଣାଯାଇନଥିବା ଚାଷୀ ଅଭିଯୋଗ କରିଛନ୍ତି । ଏନେଇ ଆଜି ଉତ୍ତ୍ୟକ୍ତ ଚାଷୀମାନେ ରାସ୍ତାରେ ଧାନବସ୍ତା ରଖି ଉଦଳା-ପୋଡାଡିହା ରାସ୍ତାର କୁକୁରଡିମା ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି । ଖବର ପାଇଁ ଉଦଳା ପୋଲିସ ଏବଂ ଏଆରସିଏସ ଘଟରାସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା କୌଣସି ସୁଫଳ ବାହାରିପାରିନଥିଲା ।