(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଳାରେ ଶୁକ୍ରବାର ସକାଳେ ମାଓ ବ୍ୟାନର ଏବଂ ପୋଷ୍ଟର ଦେଖିବାକୁ ମିଳିଛି । ଝରିଗାଁ ଚନ୍ଦାହାଣ୍ଡି ଘାଟିର ଖଲିଆପାଣି ନିକଟସ୍ଥ ରାସ୍ତା ମଝିରେ ମାଓ ପୋଷ୍ଟର ପଡିଥିବା ସହ ଗଛ ଓ ପଥର ପକାଇ ରାସ୍ତା ବନ୍ଦ କରାଯାଇଥିବା ଦେଖିବାକୁ ମିଳିଥିଲା ।
ଘଟଣାସ୍ଥଳରେ ଝରିଗାଁ, ଚନ୍ଦାହାଣ୍ଡି ପୋଲିସ ଏବଂ ବିଏସ୍ଏଫ୍ ପହଞ୍ଚି ରାସ୍ତା ମଝିରେ ରହିଥିବା ଗଛ, ପଥର କାଢ଼ିବା ପରେ ବ୍ୟାନର ଓ ପୋଷ୍ଟର ଜବତ କରିଛି। ଜାନୁୟାରୀ ୨୬କୁ କଳା ଦିବସ ଭାବେ ପାଳନ କରିବା ସହ ଜାନୁୟାରୀ ୨୫ଠାରୁ ୩୧ ପର୍ୟ୍ୟନ୍ତ ପ୍ରତିରୋଧ ଦିବସ ପାଳନ କରିବା ନେଇ ମେନପୁର ଡିଭିଜନ ମାଓ ସଂଗଠନ ପକ୍ଷରୁ ବ୍ୟାନରରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଥିଲା। ସେହିପରି ମାଓବାଦୀମାନେ ଗରିବ ଆଦିବାସୀଙ୍କ ପାଇଁ ସରକାରଙ୍କ ସହ ଲଢ଼େଇ କରୁଛନ୍ତି। କେନ୍ଦ୍ର ସରକାର ଗରିବ ଆଦିବାସୀଙ୍କୁ ସର୍ବଦା ଶୋଷଣ କରିଥିବା ଦର୍ଶାଯାଇଅଛି। ଗରିବ ଆଦିବାସୀ ପରିବାରକୁ ନିର୍ବାଚନ ପୂର୍ବରୁ ପାନୀୟଜଳ, ରାସ୍ତାଘାଟ, ବିଜୁଳି ଆଲୋକ, ଜଙ୍ଗଲ ଜମିପଟ୍ଟା ତୁରନ୍ତ ପ୍ରଦାନ କରିବାକୁ ଓ ପୋଲିସ ତଥା ବିଏସ୍ଏଫ୍କୁ ଖବର ଦେଉଥିବା ଲୋକଙ୍କୁ ଚିହ୍ନଟ କରି ପ୍ରଜାକୋର୍ଟରେ ଦଣ୍ଡିତ କରାଯିବା ନେଇ ବ୍ୟାନରରେ ଚେତାବନୀ ରହିଛି।