ନବରଙ୍ଗପୁର: ପ୍ରସୂତୀ ଠାରୁ ଲାଞ୍ଚ ମାଗିବା ଅଭିଯୋଗ

0

(ଟୁକୁନା ଖରା) ନବରଙ୍ଗପୁର: ସରକାରଙ୍କ ତରଫରୁ ମାତୃମୃତ୍ୟୁ କମ କରିବାକୁ ଜନନୀ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହୋଇଛି । ଗର୍ଭ ଧାରଣ ପରଠାରୁ ପ୍ରସବ ଯାଏଁ ସରକାର ସୁବିଧା ସୁଯୋଗ ପ୍ରଦାନ କରିଛନ୍ତି । ମେଡିକାଲରେ ଛୁଆ ଜନ୍ମ ପରେ ପ୍ରସୂତୀର ପୁଷ୍ଟିକର ଖାଦ୍ୟ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । କିନ୍ତୁ ମେଡିକାଲ ରେ ଭର୍ତି ହୋଇଥିବା ପ୍ରସୂତିକୁ ଲାଞ୍ଚ ମାଗିବା ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରୁ ।
କୁକୁଡ଼ାବାଇ ଗ୍ରାମର ଗର୍ଭବତୀ ମହିଳା ନିରୂପମା ସାଗରିଆ ପ୍ରସବ ଜନିତ ଯନ୍ତ୍ରଣା ଅନୁଭବ କରିବାରୁ ନବରଙ୍ଗପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଛୁଆ ଜନ୍ମ ପାଇଁ ପ୍ରସୂତୀ ଙ୍କୁ ଅସ୍ତ୍ରୋପଚାର ର ଆବଶ୍ୟକତା ପଡିଲା । ତେବେ ୨୨ ତାରିଖ ଦିନ ଏହି ଅସ୍ତ୍ରୋପଚାର ସମୟରେ ମେଡିକାଲ ର ଦୁଇ ଜଣ କର୍ମଚାରୀ ତାଙ୍କୁ ଚାରି ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପ୍ରସ୍ତୁତି ଙ୍କ ପରିବାର ତରଫରୁ ପ୍ରାଥମିକ ଭାବେ ଅସ୍ତ୍ରୋପଚାର ପୂର୍ବରୁ ପାଞ୍ଚ ଶହ ଟଙ୍କା ଦିଆଯାଇଥିଲା । ବଳକା ଟଙ୍କା ଛୁଆ ଜନ୍ମ ପରେ ଯୋଗାଇଦେବା ପାଇଁ ସହମତି ପ୍ରକାଶ କରିଥିଲେ । ଛୁଆ ଜନ୍ମ ପରେ ପୁଣି ବଳକା ଟଙ୍କା ମାଗିବା ଫଳରେ ପରିବାର ଲୋକଙ୍କ ତରଫରୁ ଏଡିଏମଓ ନିକଟରେ ଲିଖିତ ଭାବେ ଅଭିଯୋଗ କରାଯାଇଥିଲା । ଏଥିନେଇ ଏକ ତିନି ଜଣିଆ ଯାଞ୍ଚ କମିଟି ଗଠନ କରାଯାଇଛି । ଦୁଇ ଦିନ ମଧ୍ୟରେ ତାହାର ତଦନ୍ତ ରିପୋର୍ଟ ପ୍ରକାଶ କରିବା ଓ ରିପୋର୍ଟ ଆଧାର ରେ ଦୋଷୀ ଙ୍କ ବିରୋଧ ରେ କାର୍ୟ୍ୟାନୁଷ୍ଠାନ ନେବା ନେଇ ସୂଚନା ଦିଆଯାଇଛି । ଅପରପକ୍ଷରେ ପ୍ରସୂତି ଙ୍କ ପରିବାର ଲୋକଙ୍କୁ କିଛି କର୍ମଚାରୀ ଏହାକୁ ନେଇ ଅଭିଯୋଗ ନକରିବାକୁ ଲେବରରୁମ ଭିତରେ କହୁଥିବା ଦେଖିବାକୁ ମିଳିଛି ଯାହା କେମେରାରେ କୟଦ ହୋଇଛି । ଫଳରେ ସମ୍ପୃକ୍ତ ପରିବାର ପକ୍ଷରୁ ଏନେଇ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିବାକୁ ମନା କରିଦେଇଛନ୍ତି । କେବଳ ଏଡିଏମଓ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି ।