ନବୀନଙ୍କ ମାନବିକତା

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତା ମହାପାତ୍ରଙ୍କ ବିୟୋଗ ଆଜି ଘଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ନେହଲତାଙ୍କ ଶେଷ ଦର୍ଶନ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହା ଥିଲା ଏକ ଚିରାଚରିତ ପ୍ରକ୍ରିୟା । କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ନବୀନଙ୍କ ଦାମଙ୍କ ବାସଭବନକୁ ଯିବା ଓ ସେଠାରେ ସ୍ନେହଲତାଙ୍କୁ ଶ୍ରଦ୍ଦାଞ୍ଜଳି ଦେବାକୁ ନେଇ ଚାଲିଛି ଚର୍ଚ୍ଚା ।
ସମସ୍ତଙ୍କୁ ଜଣା କେଉଁ ପରି ପରିସ୍ଥିତିରେ ଦାମ ବିଜେଡିରୁ ବହିଷ୍କାର ହୋଇଥିଲେ ଓ ଏହା ପରେ ଦାମଙ୍କ ନବୀନଙ୍କ ପ୍ରତି ପ୍ରତିଶୋଧପରାୟତା । ବହିଷ୍କାର ପରଠାରୁ ଦାମ ବିଜେଡି ସୁପ୍ରିମୋଙ୍କ ବିରୋଧରେ ବିଷୋଦ୍ଗାର କରିଚାଲିଥିଲେ ଓ ଯେକୌଣସି ଉପାୟରେ ନବୀନଙ୍କୁ ହରାଇବା ପାଇଁ ରଣକୌଶଳ ପ୍ରସ୍ତୁତ କରୁଥିଲେ । ଏପରି ସମୟରେ ଦାମଙ୍କ ପତ୍ନୀ ବିୟୋଗ ଓ ସେଠାକୁ ନବୀନ ଯାଇ ଶ୍ରଦ୍ଧାଞ୍ଜଳି ଦେବା ଘଟଣାକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି ।
କିଛି ଏହାକୁ ନବୀନଙ୍କ ମହାନତା କହୁଥିବା ବେଳେ କିଛି ଏହାକୁ ନେଇ ନବୀନଙ୍କ ଦୂରଦୃଷ୍ଟି କହୁଛନ୍ତି । ଅହି ନକୁଳ ସମ୍ପର୍କ ମଧ୍ୟରେ ନବୀନ ଦାମଙ୍କ ବାସଭବନକୁ ଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ଦେବା ସହ ଦାମଙ୍କୁ ସାନ୍ତେ୍ୱାନା ଦେବା ଓ ପୁଅ ସମ୍ବିତ ତଥା ଝିଅ ପିତିନନ୍ଦାଙ୍କୁ ଆଶ୍ୱାସନା ଦେବାକୁ ନେଇ ନବୀନଙ୍କ ପ୍ରଶଂସକ ତଥା ସମର୍ଥକଙ୍କୁ ପ୍ରଭାବିତ କରିଛି । ରାଜନୈତିକ ଶତ୍ରୁତା ଉଦ୍ଧ୍ୱର୍ରେ ମାନବିକତା ଏହା ଜଣାଇଛନ୍ତି ନବୀନ । ଏହା ନବୀନଙ୍କ ମହାନତା ବୋଲି କୁହାଯାଉଛି ।
ଅପରପକ୍ଷରେ ବିଶେଷଜ୍ଞ ଦୃଷ୍ଟିକୋଣ ଭିନ୍ନ । ନବୀନଙ୍କ ଅତି ଘନିଷ୍ଟ ଥିବା ବୈଜୟନ୍ତଙ୍କ ମାତୃ ଓ ପିତୃ ବିୟୋଗ ପରେ ନବୀନ ସେମାନଙ୍କ ଶେଷ ଦର୍ଶନରେ ଯାଇ ନ ଥିଲେ । କିନ୍ତୁ ଦାମ ତାଙ୍କର ସବୁଠାରୁ ବଡ ବିଦ୍ରୋହୀ ହୋଇଥିଲେ ମଧ୍ୟ ସେଠାକୁ ନବୀନଙ୍କ ଯିବାକୁ ନେଇ କୁହାଯାଉଛି, ନବୀନ ଏହା ମାଧ୍ୟମରେ ନିଜର ମହାନତା ପ୍ରତିପାଦନ କରିବା ସହ ସାଧାରଣ ଜନତାଙ୍କ ମଧ୍ୟରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଏପରି କରି ରାଜନୀତିରେ ନବୀନ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି ବୋଲି କୁହାଯାଉଛି, ଯାହା ଦାମଙ୍କୁ ଲୋକଲୋଚନରେ ଛୋଟ କରିଦେଇଛି । ପରୋକ୍ଷରେ ନବୀନ ନିଜ ପଲା ଭାରି କରିଥିବା ଚର୍ଚ୍ଚା ହେଉଛି ।