ନିମ୍ନ ମାନର ରାସ୍ତା ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

0

(ବନବାସୀ ପ୍ରଧାନ) କନ୍ଧମାଳ: ବାଲିଗୁଡା ବ୍ଳକ ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ସିର୍କାଟି ଠାରେ ନିର୍ମିତ ହୋଇଛି ସିମେଣ୍ଟ କଂକ୍ରିଟ ରାସ୍ତା । ରାସ୍ତା କାମ ନିମ୍ନମାନର ହୋଇଥିବାରୁ ନିର୍ମାଣର ମାତ୍ର କିଛିଟା ମାସ ଭିତରେ ରାସ୍ତାରୁ ଢଳେଇ ଉଠିିଗଲାଣି । ଏନେଇ ଗ୍ରାମବାସୀ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ।
ସିର୍କାଟି ରାସ୍ତା ଦ୍ୱାରା ଅଡାବାଲି, କଟଡି, ସିର୍କାଟି ତିନୋଟି ଗ୍ରାମ ଉପକୃତ ହୋଇଥାନ୍ତେ । କିନ୍ତୁ ଏହି କଂକ୍ରିଟ ରାସ୍ତାଟିକୁ ନିମ୍ନମାନର ସିମେଣ୍ଟ, ମେଟାଲ, ଚିପସ ଢଳେଇ କରାଯାଇ ଠିକାଦାର, ଜେଇ, ବିଡିଓ, ମିଳିତ ଭାବରେ ବଳକା ଅର୍ଥକୁ ଭାଗବାଣ୍ଟି ନେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ନିମ୍ନମାନର କାମ ଯୋଗୁଁ ମାତ୍ର କିଛି ମାସ ତଳେ ନିର୍ମାଣ କରାଯାଇଥିବା ରାସ୍ତାରୁ ଢଳେଇ ଛାଡିଗଲାଣି । ଗ୍ରାମବାସୀ ଏସମ୍ପର୍କରେ ବିଡିଓଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ଏଥିପ୍ରତି ବିଡିଓ କର୍ଣ୍ଣପାତ କରିନଥିବା ସ୍ଥାନୀୟ ସୁଡ୍ରା ସରପଞ୍ଚ ଓ ଗ୍ରାମବାସୀ ପ୍ରକାଶ କରିଛନ୍ତି ।
କାମର ସଠିକ୍ ତଦନ୍ତ କରାଯାଇ ବିଭାଗୀୟ ଅଧିକାରୀ, ଜେଇ, ଠିକାଦାରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଗ୍ରାମବାସୀ ଜିଲ୍ଲାପ୍ରଶାସନ ପାଖରେ ଦାବୀ ଜଣାଇଛନ୍ତି।ଏହି ବିଷୟରେ ବିଡିଓ ମହୋଦୟଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନାହିଁ ।