(ଜ୍ୟୋତିରଞ୍ଜନ ଧର )କଣିହାଁ : ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ଅଧୀନସ୍ଥ ଏନଟିପିସି ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ୧୨ଜଣ ଜମିହରା ପ୍ରଜା ନିଯୁକ୍ତି ଦାବି ନେଇ ଶୁକ୍ରବାର ଏନଟିପିସି ଟାଉନ ଥାନା ଅଧିନସ୍ଥ ଏନଟିପିସି ଆମ୍ବପାଳ ରେଲୱେ ଲେବୁଲ କ୍ରସିଂ ଠାରେ ଧାରଣା ଦିଆଯାଇଥିଲା । ତାଳଚେର,ରେମୁଆଁ,ଗଦାଶିଳା,ବିଜିଗୋଳ,ଟାକୁଆ ଆଦି ଅଞ୍ଚଳର ଜମିହରା ପ୍ରଜା ଏହି ଧାରଣା ଦେଇଥିଲେ । ସକାଳ ୭.୩୦ରୁ ଅପରାହ୍ନ ୫ଟା ପର୍ୟ୍ୟନ୍ତ ଧାରଣା ଜାରି ରହିଥିଲେ ମଧ୍ୟ ଏନଟିପିସି କର୍ତୁପକ୍ଷଙ୍କର ଦେଖା ମିଳିନଥିଲା । ଖବର ପାଇଁ ଘଟଣା ସ୍ଥଳକୁ ଏନଟିପିସି ଟାଉନ ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ରଙ୍କ ସମେତ ପୋଲିସ କର୍ମଚାରୀ ପହଞ୍ଚିଥିଲେ । ପରେ ଘଟଣାସ୍ଥଳକୁ କଣିହାଁ ଅତିରିକ୍ତ ତହସିଲଦାର ରବୀନ୍ଦ୍ର କୁମାର ସାମଲ ପହଞ୍ଚି ଧାରଣକାରୀଙ୍କ ସହିତ ଆଲୋଚନା କରିଥିଲେ । ପ୍ରକଳ୍ପ ସ୍ଥାପନାକୁ ଦୀର୍ଘ ୨୯ ବର୍ଷ ରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ଏହି ୧୨ଜଣ ଜମିହରା ପରିବାର ନିଯୁକ୍ତିରୁ ବଞ୍ଚିତ ହେବା ପରେ ଜିଲ୍ଲା ଓ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ମାନ୍ୟବର ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ନ୍ୟାୟାଳୟ ଏହି ୧୨ଜଣ ଜମିହରା ପରିବାରଙ୍କ ସପକ୍ଷରେ ରାୟ ପ୍ରଦାନ କରି ସମ୍ପର୍କତ ୧୨ପରିବାରକୁ ନିଯୁକ୍ତି ଦେବାପାଇଁ ନିର୍ଦେଶ ଦେଇଥିଲେ ଓ ଉକ୍ତ ନିର୍ଦେଶନାମାକୁ ନ ମାନିବା ଫଳରେ ଆନ୍ଦୋଳନକାରୀ ଧାରଣା ଦେଇଥିବା କହିଛନ୍ତି । ପରବର୍ତ୍ତୀ ସମୟରେ ଏହି ରାୟ ବିରୋଧରେ ଏନଟିପିସି କର୍ତ୍ତୃପକ୍ଷ ହାଇକୋଟ ରେ ପିଟିସନ ଦାଖଲ କରିଥିଲେ । କିନ୍ତୁ ମାନ୍ୟବର ଅଦାଲତ ଏନଟିପିସି ପିଟିସନ କୁ ଖାରଜ କରି ତୁରନ୍ତ ନିଯୁକ୍ତି ଦେବାପାଇଁ ନିର୍ଦେଶ ଦେଇଥିଲେ । ତେବେ ହାଇକୋର୍ଟ ଙ୍କ ରାୟ ବିରୋଧରେ ଏନଟିପିସି ପକ୍ଷରୁ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ପରେ ରହିତାଦେଶ ହୋଇଥିବା ଏନଟିପିସି ଲୋକସମ୍ପର୍କ ଅଧିକାରୀ ଅମିତ ବେହେରା ମତାମତ ନେବାରୁ ଜଣାଯାଇଛି । ଭରତପୁର କୋଇଲା ଟ୍ରାଜେରୀ ଅଭାବନୀୟ ଘଟଣା ପରେ ଦୀର୍ଘ ୧୦ଦିନ ହେଲାଣି ଏନଟିପିସି, କଣିହାଁ ପ୍ରକଳ୍ପକୁ କୋଇଲା ସଙ୍କଟ ଦେଖାଦେଇଛି । ଏଭଳି ଉଦବେଗ ଜନକ ସ୍ଥିତି ଏବଂ ମାମଲା ସର୍ବୋଚ୍ଚ ନ୍ୟାୟଳୟ ରେ ବିଚାରଧିନ ରହିଥିବା ବେଳେ ଧାରଣା, ଆନ୍ଦୋଳନ କରିବା କେତେଦୂର ସମ୍ମୁଖୀନ ତାହାର ପ୍ରଶ୍ନ ଉଠାଇଛି । ଏନଟିପିସି ଓ ମାଜିଷ୍ଟେଟ ଦାୟିତ୍ୱରେ ଥିବା ରବୀନ୍ଦ୍ର କୁମାର ସାମଲ ଧାରଣକାରୀଙ୍କୁ ବହୁ ବୁଝାସୁଝା କରିବାପରେ ସମସ୍ୟା ସମାଧାନ ପାଇଁ ତାଳଚେର ଉପଜିଲ୍ଲାପାଳ କାର୍ୟ୍ୟାଳୟରେ ବୈଠକ ବସିବାର ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ପ୍ରାକ୍ତନ ତାଳଚେର ବାର ଆସୋସିଏସନ ସଭାପତି ଦୟାସାଗର ମିଶ୍ର, ଆଞ୍ଚଳିକ ଠିକା ମଜଦୁର ସଂଘ ସଭାପତି ବିରଞ୍ଚି ସାହୁ ଜମିହରାଙ୍କୁ ସମର୍ଥନ ଜଣାଇ ଧାରଣାରେ ସାମିଲ ଥିଲେ।