(ମମତା ସାମଲ)ରିପୋର୍ଟସଟୁଡେ: ଦୃଢ ଇଚ୍ଛାଶକ୍ତି ଓ କଠୋର ସାଧନା ଥିଲେ ସବୁ ପରାଜୟକୁ ଜୟ କରିହେବ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ଯାଜପୁର ଜିଲ୍ଲା ଝାଲପଡା ଗ୍ରାମର ସାଗରିକା ଓ ସତ୍ୟବ୍ରତ । ଉଭୟ ଦିବ୍ୟାଙ୍ଗ ଭାଇ ଭଉଣୀ । ପଲ୍ଲୀରୁ ଦିଲ୍ଲୀ ଯାଇ ନୃତ୍ୟ ପରିବେଷଣ କରି ମନ ମୋହିଛନ୍ତି ଭାରତର ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀଙ୍କର । ଯାହାକୁ ନେଇ ଆଜି ସାରା ଦେଶ ଗର୍ବ କରୁଛି । ଅନ୍ୟପଟେ ଆଖିକୁ ସ୍ଵପ୍ନ ପରି ଲାଗୁଥିବା ଚିତ୍ର ଆଜି ସତରେ ପରିଣତ ହୋଇଥିବାରୁ ଭାଇ ଭଉଣୀ ଏବଂ ପରିବାରରେ ଖୁସୀର ଲହରୀ ଖେଳିଯାଇଛି ।
ଦିଲ୍ଲୀ ସଂସଦ ଭବନରେ ଯାଜପୁରର ଦୁଇ ଦିବ୍ୟାଙ୍ଗ ଭାଇ ଭଉଣୀଙ୍କ ନୃତ୍ୟ ପରିବେଷଣକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଯାଜପୁର ଜିଲ୍ଲାର ଝାଲପଡା ଗ୍ରାମର ବିପ୍ର ସାହୁଙ୍କ ଦୁଇ ଦିବ୍ୟାଙ୍ଗ ସନ୍ତାନ ଦିଲ୍ଲୀ ସଂସଦ ଭବନରେ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ସହ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି ।
ପିଲାଟି ବେଳୁ ନୃତ୍ୟରେ ରୁଚି ରଖୁଥିବା ଏହି ଦୁଇ ଦିବ୍ୟାଙ୍ଗ ଭାଇ ଭଉଣୀ ଅନେକ ମଞ୍ଚରେ ନୃତ୍ୟ ପରିବେଷଣ କରି ପୁରସ୍କୃତ ମଧ୍ୟ ହୋଇଛନ୍ତି । ନୃତ୍ୟକୁ ଛାଡି ଚିତ୍ରାଙ୍କନ, ପାଠ ପଢାରେ ରୁଚି ରଖୁଥିବା ଏହି ଦୁଇ ଭାଇ ଭଉଣୀ ଏବେ ବିଜ୍ଞାନ ଆଉ କଳାରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି । ଏହାସହ ଆଗାମୀ ଦିନରେ ଭଲ ଡ୍ୟାନ୍ସ ଶିକ୍ଷକ ହେବାର ଲକ୍ଷ୍ୟ ରଖିଛନ୍ତି ସତ୍ୟବ୍ରତ ଓ ସାଗରିକା ।
ରାଜ୍ୟରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ଭଲ ଶିକ୍ଷାର ବ୍ୟବସ୍ଥା ନଥିବାବେଳେ ନିଜ ଇଚ୍ଛାଶକ୍ତି ଆଉ ଦୃଢ ଅଧ୍ୟାବସାୟ ଦ୍ଵାରା ଦେଖିଥିବା ସ୍ଵପ୍ନକୁ ବାସ୍ତବରେ ପରିଣତ କରିବା ସହ ରାଜ୍ୟ ତଥା ଦେଶରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି ଏହି ଭାଇ-ଭଉଣୀ । ପିଲାଟିବେଳୁ ଟାହି ଟାପରାର ଶିକାର ହୋଇଥିବା ଭାଇ-ଉଭଣୀଙ୍କ ପାଇଁ ଗ୍ରାମବାସୀ ଏବେ ଗର୍ବ କରୁଛନ୍ତି।
ରାଜ୍ୟ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସାହାଯ୍ୟ ନ ମିଳିଥିବାବେଳେ ନିଜ ଉଦ୍ୟମ ବଳରେ ଶୀର୍ଷରେ ପହଞ୍ଚି ବାପା ମାଙ୍କ ସ୍ଵପ୍ନକୁ ସାକାର କରିଛନ୍ତି ଏ ଦୁହେଁ । ଗାଁର ନାଁକୁ ଦିଲ୍ଲୀ ଦରବାରରେ ପହଞ୍ଚାଇଥିବାରୁ ଗ୍ରାମବାସୀମାନେ ଏବେ ବେଶ୍ ଉତ୍ସାହିତ ଅଛନ୍ତି ।
ଯାଜପୁର ଦିବ୍ୟାଙ୍ଗ କମିଟିର ସଭାପତି ମଣ୍ଟୁ ଦାସ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଦିବ୍ୟାଙ୍ଗମାନେ ମଧ୍ୟ କେଉଁଥିରେ କମ୍ ନୁହଁନ୍ତି ବୋଲି ଆଜି ପ୍ରମାଣିତ କରିଛନ୍ତି ଏହି ଦୁଇ ଦିବ୍ୟାଙ୍ଗ ଭାଇ-ଭଉଣୀ ବୋଲି ସେ କହିଛନ୍ତି ।