(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ବହୁୁ ଚର୍ଚ୍ଚିତ ଲାଲୁ ପ୍ରସାଦ ଯାଦବଙ୍କ ଫ୍ୟାମିଲି ଡ୍ରାମାରେ କୋର୍ଟର ଭରଣା ପୋଷଣ ପାଇଁ ନିର୍ଦ୍ଦେଶ । ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜପ୍ରତାପ ଏବଂ ବୋହୂ ଐଶ୍ୱର୍ୟ୍ୟାଙ୍କ ମଧ୍ୟରେ ଛାଡ଼ପତ୍ର ପ୍ରକ୍ରିୟାର ଶୁଣାଣି ଗତ ମଙ୍ଗଳବାର ପାଟନାର ଫ୍ୟାମିଲି କୋର୍ଟରେ ଆରମ୍ଭ ହୋଇଯାଇଛି। ଏନେଇ କୋର୍ଟ ତେଜପ୍ରତାପଙ୍କୁ ପତ୍ନୀ ଐଶ୍ୱର୍ୟ୍ୟାଙ୍କ ଭରଣପୋଷଣ ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ତେଜପ୍ରତାପ ଐଶ୍ୱର୍ୟ୍ୟାଙ୍କୁ ପ୍ରତିମାସରେ ୨୨ ହଜାର ଟଙ୍କା ଦେବେ। ଏହା ବ୍ୟତିତ ଐଶ୍ୱର୍ୟ୍ୟାଙ୍କ ଛାଡପତ୍ର ମାମଲା ଲଢିବା ପାଇଁ ମଧ୍ୟପତ୍ନୀଙ୍କୁ ସେ ଅତିରିକ୍ତ ଦୁଇ ଲକ୍ଷ ଟଙ୍କା ଦେବେ।
ସୂଚନାଯୋଗ୍ୟ ଯେ, ଲାଲୁ ପ୍ରସାଦ ଯାଦବଙ୍କ ବୋହୂ ଐଶ୍ୱର୍ୟ୍ୟା ୨୦୧୯ ନଭେମ୍ବର ୩ ତାରିଖରେ ପାଟନାସ୍ଥିତ ପାରିବାରିକ ଅଦାଲତରେ ଭରଣପୋଷଣ ପିଟିଶନ ଦାଖଲ କରିଥିଲେ । ଏହାପରେ ଡିସେମ୍ବର ୧୭ ତାରିଖରେ ଏହାର ଶୁଣାଣି ହୋଇଥିଲା। ଏହି ସମୟରେ ଅଦାଲତ ସମ୍ମୁଖରେ ଐଶ୍ୱର୍ୟ୍ୟା କହିଥିଲେ କି, ତାଙ୍କ ଶାଶୁଘର ଲୋକ ତାଙ୍କୁ ଘରୁ ବାହାର କରି ଦେଇଥିଲେ। ଏଥିସହିତ ସ୍ୱାମୀ ତେଜପ୍ରତାପ ତାଙ୍କ ସହିତ ନରହି ଅଲଗା ରୁହନ୍ତି। ସ୍ୱାମୀ, ଶାଶୁ ଓ ନଣନ୍ଦଙ୍କ ନାମରେ ମଧ୍ୟ ଐଶ୍ୱର୍ୟ୍ୟା ମାମଲା ରୁଜୁ କରିଛନ୍ତି।ଅନ୍ୟପକ୍ଷରେ ବିବାହର ୬ ମାସ ନପୁରୁଣୁ ଐଶ୍ୱର୍ୟ୍ୟାଙ୍କୁ ଛାଡ଼ପତ୍ର ଦେବାପାଇଁ ତେଜପ୍ରତାପ ପାଟନା ପାରିବାରିକ ଅଦାଲତରେ ଆବେଦନ କରିଥିଲେ। ଛାଡ଼ପତ୍ର ଦେବା ପଛର ମୁଖ୍ୟ କାରଣ ପ୍ରତାରଣା ବୋଲି ତେଜପ୍ରତାପ ଅଦାଲତରେ ଦାଖଲ କରିଥିବା ଆବେଦନରେ ଉଲ୍ଲେଖ କରିଥିଲେ।