(ଖଗେଶ୍ୱର ପିଙ୍ଗୁଆ / ପାଲଲହଡା) ରିପୋର୍ଟସଟୁଡେ: ପାଲଲହଡା ବ୍ଲକ ତଥା ଖମାର ଥାନା ଅନ୍ତର୍ଗତ ପରାଛାଟ ପଞ୍ଚାୟତର କରଡାଖମଣ ଗ୍ରାମର ବିଶ୍ୱନାଥ ପାତ୍ରଙ୍କର ଏକମାତ୍ର ପୁଅ ପପୁନ ପାତ୍ର ବିଦ୍ୟୁତ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଦେଢମାସ ହେଲା ଶଯ୍ୟାଶାୟୀ ହୋଇପଡିଛି । କାର୍ଯ୍ୟରତ ଥିବାବେଳେ ବିଦ୍ୟୁତ ଆଘାତରେ ଗୁରୁତର ହୋଇ ପପୁନ ଚିକିତ୍ସାଧୀନ ଥିବାବେଳେ ବିଭାଗୀୟ ଅଧିକାରୀ ପକ୍ଷରୁ ସହାୟତା ତ ଦୂର କଥା ସମବେଦନା ଟିକିଏ ନଜଣାଇବା ପରିବାର ଲୋକଙ୍କୁ ବ୍ୟଥିତ କରିଛି । ଏବେ ପପୁନଙ୍କ ଚିକିତ୍ସା ପାଇଁ କେଉଁଠି ସମ୍ବଳ ଯୋଗାଡ କରିବେ ସେନେଇ ଚିନ୍ତାରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି ।
ପ୍ରକାଶଯେ ,୮ମାସ ତଳେ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଖିରେଇଖଙ୍ଗିରୀ ସେକ୍ସନରେ ଲାଇନମ୍ୟାନ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ ପପୁନ । ଗତ ଜୁନ ୫ତାରିଖରେ କଣ୍ଟିଆପଡା ଫିଡର କୁତଖମଣ୍ଡ ଗ୍ରାମରେ ୧୧କେଭି ଟ୍ରାନସଫର୍ମର ଉପରେ ଫ୍ୟୁଜ ବାନ୍ଧିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ବିଦ୍ୟୁତ ଝଟକା ଖାଇ ତଳେ ପଡିଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଡାକ୍ରଖାନରେ ଭର୍ତ୍ତି କରାଯାଇଥିଲା । ପପୁନଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ମେଡିକାଲକୁ ପଠାଇ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ଏଏମ୍ସ ପଠାଯାଇଦିଆଯାଇଥିଲା । ସେଠାରେ କିଛି ଦିନ ଚିକିତ୍ସା ହେବା ପରେ ଏବେ ସେ ଖମାରର ବେସରକାରୀ କଲ୍ୟାଣୀ ନର୍ସିହୋମରେ ଚିକିତ୍ସିତ ହେଉଛନ୍ତି । ଏବେ ସୁଦ୍ଧା ନେସ୍କୋ ମଧ୍ୟ ଧରାଛୁଆ ଦେଉନାହାନ୍ତି । ଏପଟେ ଦେଖିବାକୁ ଗଲେ ପୁଅର ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ ।