(ପାରାଦ୍ବୀପ / ପ୍ରଶାନ୍ତ କୁମାର ସ୍ବାଇଁ) : ପ୍ରସ୍ଥାବିତ ଜେଏସଡବ୍ଲୁ କାରଖାନା ବିରୋଧରେ ଢିଙ୍କିଆ ପଞ୍ଚାୟତରେ ଅନୁଷ୍ଠିତ ହୋଇଛି ପଲ୍ଲିସଭା।ଢିଙ୍କିଆ ସମିତି ସଭ୍ୟ ଡକାଇଥିବା ଏହି ପଲ୍ଲିସଭା ମା” ଫୁଲଖାଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସରପଞ୍ଚ କିମ୍ବା ବ୍ଲକର କୌଣସି ଅଧିକାରୀ ଯୋଗ ଦେଇନଥିଲେ। ମାତ୍ର ପଞ୍ଚାୟତର ୮୦ ଭାଗ ଲୋକ ଏଥିରେ ଯୋଗଦେଇ ନିଜର ମତାମତ ଉପସ୍ଥାପନ କରିଛନ୍ତି। ୨୦୧୯ ଡିସେମ୍ବର ୨୦ ତାରିଖରେ ଜେଏସଡବ୍ଲୁ ପାଇଁ ଅନୁଷ୍ଠିତ ହୋଇଥିବା ଜନଶୁଣାଣିରେ ଢିଙ୍କିଆ, ନୂଆଗାଁ ଓ ଗଡକୁଜଙ୍ଗ ପଞ୍ଚାୟତର ଲୋକ ନଥିଲେ। ବାହାର ଲୋକଙ୍କୁ ନେଇ ପ୍ରଶାସନ ଏହି ଜନଶୁଣାଣି କରିଥିଲା। ଢିଙ୍କିଆ, ନୂଆଗାଁ ଓ ଗଡକୁଜଙ୍ଗ ଅଞ୍ଚଳରେ ପାନ ବରଜ, ମାଛ ଚାଷ ଭଳି ବହୁ ଶିଳ୍ପ ରହିଛି। ଏ ଅଞ୍ଚଳର ଏହି ଶିଳ୍ପ ରେ ୧୦ ବର୍ଷରୁ ୮୦ ବର୍ଷ ବୟସର ଲୋକେ ରୋଜଗାରକ୍ଷମ। ତେଣୁ ଏଠାରେ ଜେଏସଡବ୍ଲୁ ଭଳି ଗୋଟିଏ ଶିଳ୍ପ ର ଆବଶ୍ୟକତା ନାହିଁ, ପୋସ୍କୋ ପ୍ରକଳ୍ପ ଭଳି ଜେଏସଡବ୍ଲୁକୁ ମଧ୍ୟ ଦୃଢ ବିରୋଧ କରାଯିବ ବୋଲି ସଭାରେ ନିଷ୍ପତ୍ତି ନିଆଯାଇଛି। ଆଜିର ଏହି ପଲ୍ଲିସଭାର କପି ସମସ୍ତ ସରକାରୀ ଅଫିସ ସମେତ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ। ଏବଂ ୧୦୦ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା ଏଠାରେ ଗଢି ଉଠିଥିବା ପାନ ଶିଳ୍ପକୁ ସରକାର ପୋତ୍ସାହନ କରିବା ସହିତ ଉକ୍ତ ଜମିର ପଟ୍ଟା ସମ୍ପୃକ୍ତ ପାନବରଜ ମାଲିକଙ୍କୁ ଦେବାକୁ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ଢିଙ୍କିଆ ଗ୍ରାମବାସୀ ପ୍ରକାଶ କରିଛନ୍ତି।