(ମମତା ସାମଲ)ରିପୋର୍ଟସଟୁଡେ: ଯଦି ଆପଣ ନଦୀ ଭିତରେ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ଏହି ଇଚ୍ଛା ଅତିଶୀଘ୍ର ପୂରଣ ହେବାକୁ ଯାଉଛି । ଭାରତରେ ନଦୀ ଭିତରେ ଚାଲୁଥିବା ମେଟ୍ରୋ ରେଳ ଲାଇନର କାମ ପ୍ରାୟ ସଂପୂର୍ଣ୍ଣ ହୋଇଯାଇଛି । କୋଲକାତା ମେଟ୍ରୋର ଏହି ଲାଇନର ଫେଜ-୧ରେ ମେଟ୍ରୋସେବା ଆରମ୍ଭ ହେବାକୁ ଯାଉଛି । ସଲ୍ଟ ଲେକ ସେକ୍ଟର-୫ରୁ ସଲ୍ଟ ଲେକ ଷ୍ଟାଡିୟମ ପର୍ଯ୍ୟନ୍ତ ପ୍ରାୟ ୫କିମି ଲମ୍ବର ଏହି ମେଟ୍ରୋ ଲାଇନକୁ ରେଳବାଇ ନିରାପତ୍ତା କମିସନର ଯାଞ୍ଚ କରିଛନ୍ତି । ଏହାକୁ ଜଲଦି ମଞ୍ଚୁରୀ ମିଳିବ ବୋଲି ଆଶା କରାଯାଉଛି । ଏହାପରେ ସାଧାରଣ ନାଗରିକଙ୍କ ପାଇଁ ଏହି ସେବା ଉନ୍ମକ୍ତ ହେବ ।
ନଦୀ ଭିତରେ ଚାଲିବ ଟ୍ରେନ
କୋଲକାତା ମେଟ୍ରୋର ଇଷ୍ଟ- ୱେଷ୍ଟ ପ୍ରୋଜେକ୍ଟ ୧୬ କିମି ଲମ୍ବା । ଯାହା ସଲ୍ଟ ଲେକ ଷ୍ଟାଡିୟମରୁ ହାୱଡା ଯାଏ ଚାଲିବ । ସଲ୍ଟ ଲେକ ସେକ୍ଟର ୫ରୁ ସଲ୍ଟ ଲେକ ଷ୍ଟାଡିୟମ ଯାଏଁ ଥିବା ଲାଇନରେ କରୁଣାମୟୀ, ସେଂଟ୍ରାଲ ପାର୍କ, ସିଟି ସେଂଟର ଏବଂ ବଙ୍ଗାଲ କେମିକାଲ ମେଟ୍ରୋ ଷ୍ଟେସନ ରହିବ । କୋଲକାତା ମେଟ୍ରୋ ଭାରତୀୟ ରେଳବାଇ ଅଧିନରେ ଆସୁଛି । ଏହି ପ୍ରକଳ୍ପରେ ରେଳବାଇ ୮୫୭୨କୋଟି ଟଙ୍କା ଖର୍ଚ୍ଚ କରିଛି । ଏହି ଲାଇନରେ ପ୍ରଥମ ଥର ପାଇଁ ଭାରତ ନଦୀ ଭିତରେ ଟ୍ରାନ୍ସପୋର୍ଟ ଟନେଲ ନିର୍ମାଣ କରୁଛି ।
ଏହି ଟନେଲ ନିର୍ମାଣ କରିବା ପାଇଁ ଋଷ ଓ ଥାଇଲାଣ୍ଡର ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇଛି । ଟନେଲ ମଧ୍ୟରେ ପାଣିର ପ୍ରବେଶ କରିବା ପାଇଁ ଅତ୍ୟାଧୂନିକ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରାଯାଇଛି । ଏଥିରେ ୩ଟି ସୁରକ୍ଷା କବଚ ରହିଛି । ଏହା ମଧ୍ୟରେ ଘଂଟା ପ୍ରତି ୮୦ କିମି ବେଗରେ ଟ୍ରେନ ଗତି କରିବ ।
ଏହି ପ୍ରକଳ୍ପର କାମ ୨୦୦୯ରେ ଆରମ୍ଭ ହୋଇଥିଲା । ବର୍ତମାନର ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ସମୟରେ ଏହି ପ୍ରକଳ୍ପ କାମକୁ ତ୍ୱରାନ୍ୱିତ କରାଯାଇଛି । ୨୦୨୧ ସୁଧା ଏହି କାମ ସଂପୂର୍ଣ୍ଣ ହେବା ନେଇ କୁହାଯାଉଛି । ପ୍ରତିଦିନ ପ୍ରାୟ ୧୦ଲକ୍ଷ ଲୋକ ଏଥିରେ ଯିବାଆସିବା କରିବେ ବୋଲି ରେଳବାଇ ଆଶା କରୁଛି ।