ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ

0

ଯୋଡ଼ା (ରମେଶ ଚନ୍ଦ୍ର ମହାପାତ୍ର) ;- କେନ୍ଦୁଝର ଜିଲ୍ଲା ଯୋଡ଼ାବ୍ଲକ ଭୁଇଁଆ ରୋଇଦା ପଞ୍ଚାୟତ କେମ୍ପ ହାଟିଙ୍ଗ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶୁକ୍ରବାର ସନ୍ଧ୍ୟାରେ ଉକ୍ତ ଗ୍ରାମରେ ବିଶ୍ୱକର୍ମା ମୂର୍ତ୍ତି ଭସାଣି ନିମନ୍ତେ ପ୍ରସେସନ ଚାଲୁଥିବା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଉକ୍ତ ଗ୍ରାମର ବିରଶିଙ୍ଗ ଲାଗୁରି ( ଫିଚିଂ) ଓ ତାଙ୍କର ଦୁଇ ପୁଅ ପାରଦେନ , ଡେବୁରୁ କୌଶଳକ୍ରମେ ଶ୍ରୀମନ ପୂର୍ତ୍ତି ନାମକ ବ୍ୟକ୍ତିକୁ ନିକଟସ୍ତ ଜଙ୍ଗଲକୁ ଡାକି ନେଇଥିଲେ । ପୂର୍ବ ଯୋଜନା ମୁତାବକ ବାପ ପୁଅ ତିନିଜଣ ମିଶି ଶ୍ରୀମନକୁ ଏକ ଧାରୁଆ କଟୁରିରେ ହାଣି ଦେଇଥିଲେ । କଟୁରି ଚୋଟରେ ଶ୍ରୀମନଙ୍କ ବାମହାତ କହୁଣୀ ପାଖରୁ କଟି ଚମଡ଼ାରେ ଝୁଲି ରହିଥିଲା । ଫଳରେ ଶ୍ରୀମନ ଅଚେତ ହୋଇ ପଡ଼ିଥିଲେ । ଶ୍ରୀମନକୁ ଅଚେତ ଅବସ୍ଥାରେ ଜଙ୍ଗଲରେ ଛାଡି ବାପପୁଅ ତିନିଜଣ ଘରକୁ ପଳାଇ ଆସିଥିଲେ । ଆଜି ଶନିବାର ସକାଳେ କିଛିଲୋକ ଜଙ୍ଗଲକୁ ଶୌଚ ହେବାକୁ ଯିବା ସମୟରେ ଶ୍ରୀମନ ଅଚେତ ହୋଇ ପଡିଥିବାର ଦେଖିଥିଲେ । ତାଙ୍କୁ ପାଣି ଛାଟି ଚେତା କରିବା ପରେ ସେ ଗତ ରାତିର ଘଟଣା କହିଥିଲା । ତାଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ କୁମାରଯୋଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ଉତ୍ତମ ଚିକିତ୍ସା ନିମନ୍ତେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିବା ଜଣାପଡିଛି । ଖବର ପାଇ ରୁଗୁଡି ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।