(ଲଣ୍ଡନ) ; ଏଠି ରକ୍ଷକ ସାଜିଛି ଭକ୍ଷକ । ଜଣେ ପୁଲିସ ଅଫିସର ଜଣେ ମହିଳାଙ୍କୁ କୋଭିଡ କଟକଣା ଉଲଘଂନ ଅଭିଯୋଗରେ ଗିରଫ କରିଥିଲେ । ତାପରେ ଉକ୍ତ ମହିଳାଙ୍କ ସହ ଦୁଷ୍କର୍ମ କରିବା ସହ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଶବକୁ ପୋଡି ଦେଇଥିଲେ । କୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ ପୂରା ଘଟଣାର ତଥ୍ୟ ସାମ୍ନାକୁ ଆସିଛି। ୨୦୨୧ ମସିହା ମାର୍ଚ୍ଚ ୩-୪ ତାରିଖ ରାତିରେ ଏପରି ଘଟଣା ଘଟିଥିଲା। ମୃତ ମହିଳାଙ୍କ ନାଁ ସାରା ଏଭରାର୍ଡ(୩୩) । ସେ ଜଣେ ମାର୍କେଟିଂ ଏକଜ୍ୟୁକେଟିଭ ଭାବେ କାମ କରୁଥିଲେ। ଅଭିଯୁକ୍ତ ପୁଲିସ ଅଧିକାରୀ ଜଣଙ୍କ ହେଲେ ୪୮ ବର୍ଷୀୟ ବାୟେନ ଫୃଜେନ୍ସ। ବ୍ରିଟେନର ଗୋଟିଏ କୋର୍ଟରେ ବର୍ତ୍ତମାନ ମାମଲାର ଶୁଣାଣି ଚାଲିଛି। ଶୁଣାଣି ବେଳେ ସାମ୍ନାକୁ ଆସିଥିବା ତଥ୍ୟ ଅନୁଯାୟୀ ଅଭିଯୁକ୍ତ ବାୟେନ ପୂରା ଯୋଜନା ମୁତାବକ ସବୁ କିଛି କରିଛନ୍ତି। ସେ ଦୀର୍ଘଦିନ ହେଲା ସାରାଙ୍କୁ ଅପହରଣ କରିବା ପାଇଁ ଲଣ୍ଡନ ରାସ୍ତାରେ ବୁଲୁଥିଲେ। ସେ ସାରାଙ୍କୁ ଏକାକୀ ପାଇବା କ୍ଷଣି କରୋନା କଟକଣା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଗିରଫ କରିଥିଲେ। ସାରାଙ୍କୁ କାରରେ ବସାଇ ସେ ଲଣ୍ଡନ ଠାରୁ ୧୨୦ କିମି ଦୂର କେଣ୍ଟର ଗୋଟିଏ ଶୂନସାନ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ସେ ତାଙ୍କୁ ଦୀର୍ଘ ୫ ଘଣ୍ଟା କାଳ ଦୁଷ୍କର୍ମ କରିଥିଲେ। ଏହାପରେ ବେଲ୍ଟରେ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ଉକ୍ତ ସ୍ଥାନରେ ହିଁ ତାଙ୍କ ଶବକୁ ଜାଳିଦେଇଥିଲେ। ଶବ ଜଳୁଥିବା ବେଳେ ଏହାକୁ ପାଣିରେ ଫୋପାଡ଼ି ବାୟେନ ସେଠାରୁ ଫେରାର ହୋଇ ଯାଇଥିଲେ। ଏବେ ଏସବୁ ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ୟ୍ୟ ଚକିତ ହୋଇଛନ୍ତି।