(ଆଦର୍ଶ ରାଉତ)ଭୁବନେଶ୍ୱର: ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉତ୍ସବ ପାଇଁ ନୂତନ ସ୍ଥାନ ଚୟନ କରାଯାଇଛି । ଭୁବନେଶ୍ୱର ଗାନ୍ଧୀ ମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ଏହା ସହିତ କିଛି ନୂଆ ନିୟମ ମଧ୍ୟ ଏଥିରେ ଯୋଡ଼ି ଦିଆଯାଇଛି ।
ସବୁ ବର୍ଷ ଭଳି ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ଜାତୀୟ ପତକା ଉତ୍ତୋଳନ କରିବେ । ଏହା ସହିତ ପରେଡରେ ଅଭିବାଦନ ଗ୍ରହଣ କରିବେ । ମାତ୍ର ଛାତ୍ରଛାତ୍ରୀମାନେ ଆଉ ପରେଡରେ ଅଂଶ ଗ୍ରହଣ କରି ପାରିବେ ନାହିଁ । ଛାତ୍ରଛାତ୍ରୀମାନେ କେବଳ ପରଡେକୁ ଦେଖି ପାରିବେ । କେବଳ ପରେଡ୍ରେ ମୋଟ ୪ଟି ଟ୍ରୁପ୍ ଭାଗ ନେବେ। ଟେରିଟୋରିଆଲ ଆର୍ମି, ତେଲେଙ୍ଗାନା ପୁଲିସ୍, ସେଣ୍ଟ୍ରାଲ ଆର୍ମଡ ପୋଲିସ, ଓଡ଼ିଶା ସ୍ପେଶାଲ ଆର୍ମଡ ପୁଲିସ ଭାଗ ନେବେ।
ସୁରକ୍ଷା ପାଇଁ ୨୦ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ହେବେ । । ପଡ଼ିଆ ଭିତରେ ଏକ କଣ୍ଟ୍ରୋଲ ରୁମ କରାଯାଇଛି । ପାଖାପାଖି ୧୦ ରୁ ୧୨ ହଜାର ଜନସାଧାରଣ ଏହାର ଉପଭୋଗ କରିପାରିବେ । ୫ହଜାର ଲୋକଙ୍କ ବସିବ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ୭ ହଜାର ଲୋକ ଠିଆ ହୋଇ ଉତ୍ସବ ଉପଭୋଗ କରିପାରିବେ । ଏକ ଗୁପ୍ତ ସୁତ୍ରରୁ ଖବର ମିଳିଛି ଯେ ପ୍ରଥମ ଥର ପାଇଁ ସ୍ୱାଧୀନତା ଦିବସ ଉତ୍ସବର ସ୍ଥାନ ପରିବର୍ତ୍ତନର କାରଣ ହେଉଛି ରାଜ୍ୟ ସରକାର ମହାତ୍ମା ଗାନ୍ଧୀଙ୍କର ୧୫୦ ତମ ଜନ୍ମ ବାର୍ଷିକୀ ବହୁ ଆଡ଼ମ୍ବରରେ ପାଳନ କରିବାକୁ ଯାଉଛନ୍ତି । ସେଥିପାଇଁ ପ୍ରଦର୍ଶନୀ ପଡ଼ିଆର ଏକ ପାଖରେ ମହାତ୍ମା ଗାନ୍ଧୀଙ୍କୁ ନେଇ ଏକ ପ୍ରଦର୍ଶନୀ କରିବାକୁ ଯୋଜନା ରଖିଛନ୍ତି। ସେଠାରେ ଜନସାଧାରଣଙ୍କ ପାଇଁ ଗାନ୍ଧୀଙ୍କ ବିଭିନ୍ନ ଜିନିଷକୁ ପ୍ରଦର୍ଶନୀ କରାଯିବ ।