ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ ବେଳେ ହିଟାଚି ଚାପାରେ ନାବାଳକ ମୃତ

0

(ସତ୍ୟନାରାୟଣ ପାଲ)ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଦୁମାତାଣ୍ଡି ଗ୍ରାମରେ ଘଟିଯାଇଛି ଅଘଟଣ । ଜେସିବି(ହିଟାଚି) ଚାପାରେ ଦୁବରାଜ ମାଝୀ’ଙ୍କ ୬’ବର୍ଷର ନାବାଳକ ପୁଅ ସାଲଖାନ ମାଝୀ’ଙ୍କ ମୃତ୍ୟୁ ଘଟିଛି।ସୂଚନା ଅନୁସାରେ ବଡପଳଶା ଗ୍ରାମପଞ୍ଚାୟତର ଦୁମାତାଣ୍ଡି ଗ୍ରାମରେ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ ଚାଲିଥିବା ବେଳେ ସେଠାରେ ଗ୍ରାମର ମହିଳା ମାନଙ୍କ ସହ ପିଲାଟିର ମାଆ ପୁମା ମାଝୀ ମଧ୍ୟ କାର୍ଯ୍ୟରତ ଥିଲେ।ପିଲାଟି ମାଆ ପାଖକୁ ଆସିଥିଲା ମାଆ କାର୍ଯ୍ୟରେ ବ୍ୟସ୍ତ ଥିଲାବେଳେ ପିଲାଟି ରାସ୍ତା କଡରେ ଶୋଇଯାଇଥିଲା।ହିଟାଚି ଚାଳକ ବେପରୁଆ ଭାବେ ଗାଡିଟିକୁ ରାସ୍ତା କଡକୁ ନେଲାବେଳେ ପିଲାଟି ଶୋଇଥିବା ଜାଣି ପାରି ନଥିଲା।ପିଲାଟିର ବାମପଟ ମୁଣ୍ଡ କାନ ତଳକୁ ହିଟାଚି ମେସିନ ଚେନ ଚଢିଗଲା ବେଳକୁ ପିଲାଟି ଯନ୍ତ୍ରଣାରେ ଚିତ୍କାର କରିଥିଲା ହେଲେ ସେତିକି ବେଳକୁ ସବୁ ଶେଷ ହୋଇ ଯାଇଥିଲା।ହିଟାଚି ଚାପାରେ ପିଲାଟିର ମୁଣ୍ଡର ତଳ ଭାଗ ନଷ୍ଟ ହୋଇ ଯାଇଥିଲା।ଘଟଣାସ୍ଥଳରେ ପିଲାଟିର ପ୍ରାଣବାୟୁ ଉଡିଯାଇଥିଲା।ଘଟଣାଟି ଅପରାହ୍ନ ୪’ରୁ ୪.୩୦ ବେଳକୁ ଘଟିଥିଲାବେଳେ ଚାଳକ ଓ କର୍ମଚାରି ମାନେ ଫେରାର ହୋଇଯାଇଥିଲେ। କାର୍ଯ୍ୟସ୍ଥଳରେ କେବଳ ମହିଳାମାନେ ଉପସ୍ଥିତ ଥିବାରୁ ନିରୁପାୟ ହୋଇ ମୃତ ଶିଶୁଟିକୁ ଘରକୁ ନେଇଯାଇଥିଲେ।ଶିଶୁଟିର ବାପା ମଧ୍ୟ କୌଣସି କାର୍ୟ୍ୟରେ ବହଳଦା ବଜାରକୁ ଯାଇଥିଲେ।ଖବର ପାଇ ଝରାଡିହି ଫାଣ୍ଡି ଅଧିକାରୀ ସତ୍ୟବାନ ଗିରି ପହଞ୍ଚି ଘଟଣାର ତଦନ୍ତ ଜାରିରଖି ଥିଲେ। ସୂଚନା ଯୋଗ୍ୟ ଏହି ବଣ ପାହାଡ ଘେରା ଦୁର୍ଗମ ଗ୍ରାମକୁ କୁଚିତ କେହି ଯାଉଥିବାର ସୁଯୋଗ ନେଇ ଏଠାରେ ସୂଚନା ଫଳକ ଲଗା ନଯାଇ କାର୍ଯ୍ୟ ସଂପାଦନ କରାଯାଉଛି।