ହିଞ୍ଜିଳିକାଟୁ/ ରଜନୀ କାନ୍ତ ପାତ୍ର: ଆଜି ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ବଡଖଣ୍ଡି ଗ୍ରାମର ଇନ୍ଦିରାଆବାସ ପ୍ରାଥମିକ ବିଦ୍ୟାଳୟ ବନ୍ଦ ଓ ମିଶ୍ରଣ ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତି ବିରୋଧରେ ଅଞ୍ଚଳବାସୀ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା କରିଛନ୍ତି । ମିଶ୍ରଣ ବାତିଲ କରି ଶୀଘ୍ର ନାମଲେଖା କରିବାକୁ ଦାବି କରିଛନ୍ତି ଧାରଣାକାରୀ ।
ବଡଖଣ୍ଡି ଗ୍ରାମର ଇନ୍ଦିରାଆବାସ ପ୍ରାଥମିକ ବିଦ୍ୟାଳୟ ବନ୍ଦ ଓ ମିଶ୍ରଣ ବାତିଲ କରି ତୁରନ୍ତ ନାମଲେଖା ଆରମ୍ଭ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରୁ ଏକ ଶୋଭାଯାତ୍ରା ବାହାରିଥିଲା । ବିକ୍ଷୋଭକାରୀ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପହଞ୍ଚି ଅନିର୍ଦ୍ଧିଷ୍ଟ ଓ ଅହୋରାତ୍ର ଗଣଧାରଣାରେ ସାମିଲ ହୋଇଛନ୍ତି । ପୂର୍ବରୁ ଗ୍ରାମବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଜିଲ୍ଲାପାଳ, ଡିଓଓବିଇଓ ଓ ବିଡିଓଙ୍କୁ ଏନେଇ ଅବଗତ ସତ୍ତ୍ଵେ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ସୂଚନା ଥାଉକି ରାଜ୍ୟ ସରକାର ୨୦୧୮ ମସିହାରେ ରାଜ୍ୟର ୧୪,୩୭୯ ଓ ଗଞ୍ଜାମ ଜିଲ୍ଲାରେ ୪୩୩ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ବନ୍ଦ ପ୍ରକ୍ରିୟା ୨୦୨୦ ଶିକ୍ଷା ବର୍ଷରୁ ଆରମ୍ଭ ହୋଇଥିଲା । ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ବଡଖଣ୍ଡି ଗ୍ରାମର ଇନ୍ଦିରାଆବାସ ପ୍ରାଥମିକ ବିଦ୍ୟାଳୟରେ କମ୍ ଛାତ୍ରଛାତ୍ରୀ ଥିବା ଆଳ ଦେଖାଇ ନିକଟସ୍ଥ ହାଇସ୍କୁଲରେ ମିଶ୍ରଣ ପାଇଁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଦୁଃଖର ବିଷୟ ସ୍କୁଲରେ ପଇଁତିରିଶିରୁ ଉର୍ଦ୍ଧ ପିଲା ନାମ ଲେଖାଇଥିଲେ ମଧ୍ୟ ଏହି ସ୍କୁଲକୁ ବନ୍ଦ କରାଯାଉଛି । ଅନ୍ୟପଟେ ମିଶ୍ରଣ ହେଲେ ଏହି ବିଦ୍ୟାଳୟର କୁନି କୁନି ଶିଶୁମାନଙ୍କୁ ମୁଖ୍ୟସଡ଼କ ପାର କରି ପ୍ରାୟ ଏକ କିଲୋମିଟର ଦୂର ଯିବାକୁ ପଡିବ । ପୂର୍ବରୁ ଅର୍ଥାତ୍ ୨୦୧୦ ମସିହାରେ ଏହି ରାସ୍ତାରେ ଦୁର୍ଘଟଣା ଘଟି ଏକ ସପ୍ତମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିବାର ନଜିରି ରହିଛି । ଏଣୁ ଗ୍ରାମବାସୀ ବୃନ୍ଦ ଭୟଭୀତ ଏବଂ ଅଧିକାଂଶ ଅଭିଭାବକ ଗରିବ ଓ ଶ୍ରମିକ ଶ୍ରେଣୀର ହୋଇଥିବାରୁ ପିଲାଙ୍କୁ ପ୍ରତ୍ୟେକ ଦିନ ନେବା ଆଣିବା କରିବା ସମ୍ଭବପର ନୁହେଁ ।ତେଣୁ ଏହି ପ୍ରାଥମିକ ସ୍କୁଲକୁ ଅନ୍ୟତ୍ର ମିଶ୍ରଣ ନକରିବା ପାଇଁ ବିଦ୍ୟାଳୟ ସୁରକ୍ଷା କମିଟି, ବଡଖଣ୍ଡି ତରଫରୁ ଦୃଢ ଦାବି ଉପସ୍ଥାପନ କରାଯାଇଛି । ଆଜିର ଅଲ.ଇଣ୍ଡିଆ.ଡି.ଏସ୍.ଓ ସମ୍ପାଦକ ନିମାଇଁ ଚରଣ ସାହୁଙ୍କ ସହ ନାରାୟଣ ସାହୁ, କିସାନ ସାହୁ ଏବଂ ସୁରେନ୍ଦ୍ର ଦାସ ନିୟନୀ ଦାସ ପ୍ରମୁଖ ଶତାଧିକ ଗ୍ରାମବାସୀ ଗଣଧ।।ରଣାରେ ଉପସ୍ଥିତ ଥିଲେ ।