(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: କିଡ଼ନି ଦାନ କରି ୨ଜଣଙ୍କ ଜୀବନ ବଞ୍ଚାଇ ମରି ମଧ୍ୟ ପ୍ରିୟଙ୍କା ପାତ୍ର ଅମର ହୋଇଛନ୍ତି । ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିବା ପ୍ରିୟଙ୍କାଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏକ ବଡ ଘୋଷଣା କରିଛନ୍ତି । ପ୍ରିୟଙ୍କାରାଣୀଙ୍କ ଝିଅର ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ତାଙ୍କର ୫ ବର୍ଷର ଝିଅ ଏବେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ସୂରଜ ଯୋଜନାରେ ପରିବାରକୁ ମିଳିବ ସହାୟତା । ପ୍ରିୟଙ୍କାଙ୍କ ପରିବାରର ତ୍ୟାଗକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରିୟଙ୍କାରାଣୀଙ୍କ ପରିବାରକୁ ‘ସୂରଜ ଯୋଜନା’ରେ ସମ୍ମାନିତ କରାଯିବ। ଏହାଛଡ଼ା ଭୁବନେଶ୍ୱରର ଆପୋଲୋ ହସ୍ପିଟାଲ୍ରେ ଚିକିତ୍ସାଧୀନା ଥିବା ଦିବଂଗତ ପ୍ରିୟଙ୍କା ପାତ୍ରଙ୍କ ଝିଅର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ତୁଲାଇବେ। ସଫଳ ବୃକ୍କ ପ୍ରତିରୋପଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ ଓ ହସ୍ପିଟାଲର୍ ସମସ୍ତ ଡାକ୍ତର ଏବଂ ତାଙ୍କ ଟିମ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ପ୍ରିୟଙ୍କା ଗତ ଜାନୁଆରୀ ୨୭ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତରଭାବେ ଆହତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚ଼ିକିତ୍ସିତ ହେଉଥିଲେ । ଗତ କାଲି ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ । ମୃତ୍ୟୁ ପରେ ଯୁବତୀଙ୍କ ପରିବାର ଲୋକେ ଅଙ୍ଗଦାନ ପାଇଁ ସମ୍ମତି ଜଣାଇଥିଲେ । ଏ ନେଇ ହସ୍ପିଟାଲ କତ୍ତୃପକ୍ଷ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଜଣାଇଥିଲେ । ଆଠ ମାସ ହେଲା କିଡନୀ ଖରାପ ହୋଇଥିବା ଫିରୋଜ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ପ୍ରିୟକାଙ୍କ କିଡ଼ନି ପ୍ରତ୍ୟାରୋପଣ କରାଯାଇଥିଲା । ଏମିତି ଅସ୍ତ୍ରୋପଚାର ଓଡିଶାରେ ପ୍ରଥମ ଥର ପାଇଁ କରାଯାଇଛି । ଅପରେସନ ପରେ ଫିରୋଜ ସାହୁ ସୁସ୍ଥ ଥିବା ଜଣାପଡିଛି ।