(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ଗତକାଲି ଏକ ହତ୍ୟା ମାମଲାର ବିଚାର କରି ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୋରାଜଜ ଅନୁପ ରଞ୍ଜନ ପଟନାୟକ ଅଭିଯୁକ୍ତ ମିଥଲେଶ କୁମାର(୩୨) ଓ ପରମଜିତ ପ୍ରସାଦ(୩୦)ଙ୍କୁ ଆଜୀବନ କାରାଦଣ୍ଡ ସହ କୁଡିଏ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି।ଜୋରିମାନା ଅନାଦେୟ ଅଧିକ ଛଅ ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି।ପ୍ରକାଶ ଯେ, ଝାରଖଣ୍ଡ ରାଜ୍ୟର ଟାଟା ଅଞ୍ଚଳର ମିଥଲେଶ କୁମାର ଉକ୍ତ ଅଞ୍ଚଳର କମଲ ମିଶ୍ରରା(୨୦)ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା।କମଲ ଏକ ଆକ୍ଟିଂ ସ୍କୁଲରେ ଆଡ଼ମିଶନ ହେବାକୁ ଚାହୁଁଥିବାବେଳେ ମିଥଲେଶ ଆକ୍ଟିଂ ସ୍କୁଲରେ ଆଡ଼ମିଶନ ନହେବା ପାଇଁ ବାରଣ କରିଥିଲା।ମାତ୍ର କମଲ ଆକ୍ଟିଂ ସ୍କୁଲରେ ଆଡ଼ମିଶନ ହେବା ପରେ ପ୍ରେମି ଯୁଗଳଙ୍କ ମଧ୍ୟରେ ମନମାଳିନ ହୋଇଥିଲା।ଏ ନେଇ ମିଥଲେଶ କମଲକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ।୨୦୧୪ମସିହା ଜୁଲାଇ ୩୦ ତାରିଖରେ ମିଥଲେଶ ଓ ତାଙ୍କ ସାଙ୍ଗ ପରମ ଜିତ କମଲଙ୍କୁ ଏକ କାରରେ ନେଇ ଆସି ଅତି ନିର୍ମମ ଭାବେ ହତ୍ୟା କରି ଏକ ଅଖାରେ ଭର୍ତିକରି ତିରିଙ୍ଗ ଥାନା ଅନ୍ତର୍ଗତ ଏକ ଜଙ୍ଗଲରେ ଫିଙ୍ଗି ଦେଇଥିଲେ।ଏନେଇ କମଲଙ୍କ ପରିବାର ପକ୍ଷରୁ ଅଭିଯୋଗ କ୍ରମେ ଡେଲାଗ ଥାନାରେ ଏକ ମିସକେଶ ରୁଜୁ ହୋଇଥିଲା।ମାତ୍ର ଦେଢମାସ ପରେ ଜଙ୍ଗଲରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେ।ପୋଲିସ ଉକ୍ତ ଅଖାରୁ କମଲ ଙ୍କ ମୁତଦେହ ଜବତ କରିବା ସହ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଥିଲେ।ଏନେଇ ତିରିଙ୍ଗ ଥାନାରେ ୪୩/୧୪ ମାମଲା ରୁଜୁ ହୋଇ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।ଶନିବାର ୨୧ ଜଣ ସାକ୍ଷୀ ପ୍ରମାଣକୁ ଭିତି କରି ଅଦାଲତ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି।