ଫୁଲୁଛି ଭାର୍ଗବୀ ନଦୀ, ଚାଷୀ ହନ୍ତସନ୍ତ

0

(ଜୟନ୍ତ କୁମାର ସେଠୀ/ପୁରୀ): ଲଘୁଚାପ ପ୍ରଭାବରେ ପୁରୀ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ ଭାର୍ଗବୀ ନଦୀ ଫୁଲୁଛି । ଯାହା ଫଳରେ ନଦୀର ନିକଟବର୍ତ୍ତୀ ଅଞ୍ଚଳ ଗୁଡିକରେ ବନ୍ୟା ପାଣି ପ୍ରବେଶ କରିଥିବା ଦେଖିବାକୁ ମିଳିଛି । ଯେଉଁଥି ପାଇଁ ସ୍ଥାନୀୟ ଅଞ୍ଚଳ ଗୁଡିକ ଜଳମଗ୍ନ ହୋଇଛି । ଭାର୍ଗବୀ ନଦୀ ଫୁଲୁଥିବା ଯୋଗୁଁ ପୁରୀ ଜିଲ୍ଲା ସଦର ବ୍ଲକର ଉତ୍ତର କଣା ଅଞ୍ଚଳ ପ୍ରଭାବିତ ହୋଇଛି । ତେବେ ଗାଁକୁ ସଂଯୋଗ କରୁଥିବା ପୋଲ ଉପରେ ପାଣି ଚାଲୁଥିବାରୁ ଗାଁ ଟି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଯାହା ଫଳରେ ନିଜର ଦୈନନ୍ଦିନ କାର୍ୟ୍ୟ ପାଇଁ ଯାତାୟାତ କରିବାରେ ଲୋକଙ୍କୁ ବହୁ ଅସୁବିଧାର ସମ୍ମୂଖୀନ ହେବାକୁ ପଡୁଛି । ଉତ୍ତର କଣା ଅଞ୍ଚଳରେ ଶହ ଶହ ହେକ୍ଟର ଚାଷ ଜମିରେ ବନ୍ୟା ଜଳ ମାଡି ଯାଇଛି। ଫଳରେ ଚାଷୀ ମାନେ ବିପୁଳ କ୍ଷତି ସହିଥିବା କହିଛନ୍ତି। ତେବେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଉତ୍ତର କଣା ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି ବୋଲି ପୁରୀ ଉପଜିଲ୍ଲାପାଳ କହିଛନ୍ତି । ଏଥିସହିତ ଲୋକଙ୍କ ସହାୟତା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ହୋଇଛି ବୋଲି ସେ ସୁଚନା ଦେଇଛନ୍ତି ।