(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ମହାକାଶରେ ଅଧିକ ଦିନ ରହି ରେକର୍ଡ କରିଥିବା ଆମେରିକାର ମହାକାଶ ଯାତ୍ରୀ କ୍ରିଷ୍ଟିନା କୋଚ୍ ଶେଷରେ ପୃଥିବୀକୁ ଫେରିଛନ୍ତି। ସେ ମହାକାଶରେ ୩୨୮ ଦିନ ବିତାଇ ରେକର୍ଡ କରିଥିବା ନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି । କ୍ରିଷ୍ଟିନା କୋଚ୍ଙ୍କ ସହିତ ୟୁରୋପୀୟ ମହାକାଶ ଏଜେନ୍ସିର ମହାକାଶ ଯାତ୍ରୀ ଲକା ପରମିତାନୋ ଏବଂ ରୁଷିଆର ଆଲେକଜାଣ୍ଡାର ସ୍କୋଭରତ୍ସୋବ ମଧ୍ୟ ଫେରିଆସିଛନ୍ତି।ଗୁରୁବାର ଭାରତୀୟ ସମୟ ପୂର୍ବାହ୍ନ ୧୧ଟା ୨୦ରେ ସେମାନେ ଫେରିବା ଆରମ୍ଭ କରିଥିଲେ। ୩ ଘଣ୍ଟା ୨୨ ମିନିଟ୍ ପରେ ଅପରାହ୍ନ ୨ଟା ୪୨ରେ କାଜାକସ୍ତାନର ଜେଜ୍କାଜ୍ଗନ ସହରର ଦକ୍ଷିଣ ପୂର୍ବରେ ଭୂପୃଷ୍ଠରେ ପାଦଦେଇଛନ୍ତି। କ୍ରିଷ୍ଟିନା ୨୦୧୯ ମାର୍ଚ୍ଚ ୧୪ରେ ମହାକାଶ ଯାତ୍ରା କରିଥିଲେ ବୋଲି ନାସା ପକ୍ଷରୁ କୁହାଯାଇଛି।