(ସରୋଜ କୁମାର ରାଉତ)ଭୁବନେଶ୍ୱର: ବଦଳିବ କଟକ ଓ ଭୁବନେଶ୍ୱର ଟ୍ରାଫିକ ସମସ୍ୟା । ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତୀକରଣ ହେବ । ଦୈତ ନଗରୀରେ କିପରି ଲୋକେ ଟ୍ରାଫିକ ସମସ୍ୟାରୁ ମୁକୁଳିବେ ସେ ନେଇ ବ୍ୟବସ୍ଥା କରାଯିବ ବୋଲି ନୂଆ କରି ଟ୍ରାଫିକ ଡ଼ିସିପି ଦାୟିତ୍ୱ ନେଇଥିବା ସାଗରିକା ନାଥ ସୂଚନା ଦେଇଛନ୍ତି । କୋରାପୁଟ ଜୟପୁରରେ ଏସଡ଼ିପିଓ ଭାବେ କାର୍ୟ୍ୟ କରୁଥିବା ସାଗରିକାଙ୍କ କାମକୁ ନେଇ ଅଞ୍ଚଳବାସୀ ଢେର ଖୁସି ହୋଇଥିଲେ । ନିଜର ପ୍ରଥମ ୨ ମାସର କାର୍ୟ୍ୟକାଳ ଭିତରେ ଗଂଜେଇ ମାଫିଆ, ମଦ ମାଫିଆ, ଓ ଦୁର୍ଦ୍ଦାନ୍ତ ଅପରାଧିକୁ ଗିରଫ କରିବାରେ ସଫଳ ହୋଇଥିଲେ ସାଗରିକା । କୋରାପୁଟ ଗଞ୍ଜେଇ ଚୋରା ବେପାରୀଙ୍କ ପାଇଁ ଆତଙ୍କ ସାଜିଥିଲେ ଏହି ଆଇପିଏସ ଅଧିକାରୀ । ୨୦୧୬ ବ୍ୟାଚର ଏହି ଲେଡ଼ି ଆଇପିଏସ ଅଫିସର ୧୯୮୮ ମସିହାରେ ଜନ୍ମ ଗ୍ରହଣ କରିଥିବାବେଳେ ତାଙ୍କ ପୈତୃକ ଘର ହେଉଛି ଅନୁଗୁଳ । ତେବେ ସାଗରିକାଙ୍କ ପିଲାବେଳ କଟିଥିଲା କୋରାପୁଟରେ । ଦାମନଯୋଡ଼ିରେ ରହୁଥିବା ସାଗରିକା ଦିଲ୍ଲୀ ପବ୍ଲିକ ସ୍କୁଲରେ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ପଢ଼ିବା ପରେ ବିଶାଖାପାଟଣାରେ ଯୁକ୍ତ ଦୁଇ ପାଠପଢ଼ା ଶେଷ କରିଥିଲେ । ତେବେ ପରେ ଭୁବନେଶ୍ୱର ସିଇଟି ଇଞ୍ଜିନିୟରିଂ କଲେଜରେ ନିଜର ଉଚ୍ଚ ଶିକ୍ଷା ଶେଷ କରିବା ପରେ ଆଇପିଏସ ପାଇଁ ପ୍ରସ୍ତୁତି କରିଥିଲେ, ଆଉ ୪ ବର୍ଷ ପରେ ସାଗରିକାଙ୍କ ଏହି ସ୍ୱପ୍ନ ପୂରଣ ହୋଇଥିଲା । ୨୦୧୬ ମସିହାରେ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ୟ୍ୟ ହୋଇଥିଲେ । ଆଉ ଦୁଇ ବର୍ଷର ଟ୍ରେନିଂ ପରେ ତାଙ୍କୁ ପ୍ରଥମ ପୋଷ୍ଟିଂରେ ବୋରିଗୁମ୍ମାକୁ ପଠା ଯାଇଥିଲା । ବୋରିଗୁମ୍ମାର ଦାୟିତ୍ୱ ନେବା ପରେ ସାଗରିକାଙ୍କ ଦବଙ୍ଗଗିରି ଦେଖିଥିଲେ ଅଞ୍ଚଳବାସୀ। ବୋରିଗୁମ୍ମାରେ ଗଞ୍ଜେଇ ବେପାରୀଙ୍କ ଉତ୍ପାତ ତାଙ୍କ ନଜରକୁ ଆସିବା ପରେ ସେ ଆରମ୍ଭ କରିଥିଲେ ରାତି ଅଧିଆ ଅପରେସନ । ଯାହା ଫଳରେ ବୋରିଗୁମ୍ମାରୁ ସମ୍ପୂର୍ଣ୍ଣ ଭାବେ ଏବେ ଗଞ୍ଜେଇ ଚୋରା ଚାଲାଣ ବନ୍ଦ ହୋଇଯାଇଛି ।