ବଦଳିବ ବ୍ୟାଙ୍କର ସର୍ଭିସ ଚାର୍ଜ

0

(ସରୋଜ କୁମାର ରାଉତ/ରିାପରଟର୍ସ ଟୁଡେ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ପକ୍ଷରୁ ଟଙ୍କା ଜମା, ଉଠାଣ ଏବଂ ସର୍ବନିମ୍ନ ବାଲାନ୍ସ ଉପରେ ଆଦାୟ କରାଯାଉଥିବା ସର୍ଭିସ୍ ଚାର୍ଜରେ ପରିବର୍ତ୍ତନ କରାଯାଇଛି। ପରିବର୍ତ୍ତିତ ଚାର୍ଜ ଆସନ୍ତା ଅକ୍ଟୋବର ୧ରୁ ଲାଗୁ ହେବ। ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ସହରାଞ୍ଚଳ ଗ୍ରାହକଙ୍କ ପାଇଁ ସର୍ବନିମ୍ନ ହାରାହାରି ମାସିକ ବାଲାନ୍ସକୁ ୫୦୦୦ ଟଙ୍କାରୁ କମାଇ ୩୦୦୦ ଟଙ୍କା କରାଯାଇଛି। ଯେଉଁମାନଙ୍କ ଖାତାରେ ଏହି ଟଙ୍କା ୫୦% କମିଯିବ ତେବେ ସେମାନଙ୍କ ଠାରୁ ୧୦ ଟଙ୍କାର ଚାର୍ଜ ସହିତ ଜିଏସ୍ଟି ଆଦାୟ କରାଯିବ। ସେହି ରାଶି ୭୫% କମିଗଲେ ୧୫ ଟଙ୍କାର ଚାର୍ଜ ସହ ଜିଏସ୍ଟି ଆଦାୟ କରାଯିବ।
ଅର୍ଦ୍ଧ-ସହରାଞ୍ଚଳ ଗ୍ରାହକଙ୍କ ପାଇଁ ସର୍ବନିମ୍ନ ମାସିକ ବାଲାନ୍ସ ୨୦୦୦ ଟଙ୍କା ରହିଛି। ତେବେ ଗ୍ରାମାଞ୍ଚଳ ଗ୍ରାହକଙ୍କ ପାଇଁ ଏହି ବାଲାନ୍ସ ୧୦୦୦ ଟଙ୍କା ଧାର୍ୟ୍ୟ କରାଯାଇଛି। ଅର୍ଦ୍ଧ-ସହରାଞ୍ଚଳ ଗ୍ରାହକଙ୍କ ଖାତାରେ ଏହି ଟଙ୍କା ୫୦% କମିଗଲେ ସାଢ଼େ ୭ ଟଙ୍କାର ଶୁଳ୍କ ସହ ଜିଏସ୍ଟି ଆଦାୟ କରାଯିବ। ସେହି ଟଙ୍କା ୫୦-୭୫ ପର୍ୟ୍ୟନ୍ତ କମିଲେ ୧୦ ଟଙ୍କା ସହ ଜିଏସ୍ଟି ଓ ୭୫%ରୁ ଅଧିକ କମିଗଲେ ୧୨ ଟଙ୍କା ସହ ଜିଏସ୍ଟି ଆଦାୟ କରାଯିବ। ଗ୍ରାମାଞ୍ଚଳ ଗ୍ରାହକଙ୍କ ସର୍ବନିମ୍ନ ବାଲାନ୍ସ ଧାର୍ୟ୍ୟ ସୀମାର ୫୦%ରୁ ତଳକୁ ଖସିଗଲେ ୫ ଟଙ୍କାର ଶୁଳ୍କ ସହ ଜିଏସ୍ଟି ଆଦାୟ କରାଯିବ ଏବଂ ୫୦-୭୫% ପର୍ୟ୍ୟନ୍ତ କମିଗଲେ ସାଢ଼େ ୭ ଟଙ୍କା ସହ ଜିଏସ୍ଟି ଏବଂ ୭୫%ରୁ କମିଗଲେ ୧୦ ଟଙ୍କାର ଶୁଳ୍କ ସହ ଜିଏସ୍ଟି ଆଦାୟ କରାଯିବ।ସେହିପରି, ଡିଜିଟାଲ୍ ମାଧ୍ୟମରେ ଏନ୍ଇଏଫ୍ଟି ଓ ଆର୍ଟିଜିଏସ୍ କଲେ କୌଣସି ଶୁଳ୍କ ଗଣିବାକୁ ପଡ଼ିବନି। କିନ୍ତୁ ଶାଖା ଜରିଆରେ ୧୦ ହଜାର ଟଙ୍କା ପର୍ୟ୍ୟନ୍ତ ଏନ୍ଇଏଫ୍ଟି କଲେ ୨ ଟଙ୍କାର ଶୁଳ୍କ ସହ ଜିଏସ୍ଟି ଆଦାୟ କରାଯିବ। ଦୁଇ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଏନ୍ଇଏଫ୍ଟି କଲେ ୨୦ ଟଙ୍କା ଶୁଳ୍କ ସହ ଜିଏସ୍ଟି ଆଦାୟ କରାଯିବ। ସେହିପରି ୨-୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆର୍ଟିଜିଏସ୍ କଲେ ୨୦ ଟଙ୍କାର ଶୁଳ୍କ ସହ ଜିଏସ୍ଟି ଲାଗିବ। ପାଞ୍ଚ ଲକ୍ଷରୁ ଅଧିକ ଟଙ୍କା ଆର୍ଟିଜିଏସ୍ କଲେ ୪୦ ଟଙ୍କାର ଶୁଳ୍କ ସହ ଜିଏସ୍ଟି ଆଦାୟ କରାଯିବ। ସଞ୍ଚୟ ଖାତାରେ ମାସକୁ ୩ ଥର ମାଗଣାରେ ଟଙ୍କା ଜମା କିମ୍ବା ଉଠାଣ କରାଯାଇପାରିବ। ଏହାଠାରୁ ଅଧିକ ଥର ଜମା କିମ୍ବା ଉଠାଣ କଲେ ୪୦ ଟଙ୍କା ସହ ଜିଏସ୍ଟି ଲାଗିବ। ନିଜ ଶାଖା ବ୍ୟତୀତ ଅନ୍ୟ ଶାଖାରେ ଦିନକୁ ଅତିବେଶିରେ ୨ ଲକ୍ଷ ଟଙ୍କା ଜମା କରିହେବ। ଯେଉଁ ଗ୍ରାହକମାନଙ୍କ ଖାତାରେ ୨୫ ହଜାର ଟଙ୍କା ପର୍ୟ୍ୟନ୍ତ ଜମା ରାଶି ଥିବ ସେମାନେ ମାସକୁ ଦୁଇ ଥର ମାଗଣାରେ ଟଙ୍କା ଉଠାଇପାରିବେ। ଯେଉଁମାନଙ୍କ ଖାତାରେ ୨୫-୫୦ ହଜାର ପର୍ୟ୍ୟନ୍ତ ଟଙ୍କା ସେମାନେ ମାଗଣାରେ ୧୦ ଥର ଟଙ୍କା ଉଠାଇପାରିବେ। ଏହା ଠାରୁ ଅଧିକ ଥର ଟଙ୍କା ଉଠାଇଲେ ପ୍ରତି ଥର ୫୦ ଟଙ୍କା ସହ ଜିଏସ୍ଟି ଗଣିବାକୁ ପଡ଼ିବ। ଯେଉଁ ଗ୍ରାହକମାନଙ୍କ ଖାତାରେ ୫୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜମା ରାଶି ଥିବ ସେମାନଙ୍କ ଉପରେ ଅତିରିକ୍ତ ଉଠାଣ ପାଇଁ ୧୫ ଟଙ୍କା ସହ ଜିଏସ୍ଟି ଲାଗିବ। ଏକ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଜମାରାଶି ରଖିଥିବା ଗ୍ରାହକମାନେ ଅସୀମିତ ସମୟ ଟଙ୍କା ଉଠାଇପାରିବେ।