ବନ୍ୟା ଉଜାଡ଼ି ଦେଲା ସୁନାର ଧାନ ଫସଲ, ଚିନ୍ତାରେ ଚାଷୀ

0

(ଅଜିତ କୁମାର ସାହୁ / ଜଳେଶ୍ୱର): ବସ୍ତା ବାସୀଙ୍କ ପାଇଁ ଦୁଖ ସାଜିଛି ଜଳକା । ପ୍ରତି ବର୍ଷ ଜଳକା ନଦୀରେ ବନ୍ୟା ଆସି ଉଜାଡ଼ି ଦେଉଛି ସୁନାର ଫସଲ। ଚଳିତ ବର୍ଷ ଲଘୁଚାପ ଜନିତ ଲଗାଣ ବର୍ଷା ସହିତ, ଜଳକା ଓ ପେଜଗଳା ନଦୀର ବନ୍ୟା ଆସି ନଷ୍ଟ ହୋଇଛି ଧାନ ଫସଲ, ଆଖି ଆଗରେ ସୁନାର ଫସଲ ଉଜୁଡି ଯିବା ପରେ, ଧାନ ଫସଲ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଲୋକେ କିପରି ପରିବାର ପ୍ରତିପୋଷଣ କରିବେ ଚିନ୍ତା କରି, ମୁଣ୍ଡରେ ହାତଦେଇ ବସିଛନ୍ତି ଚାଷୀ ।

ଏ ଦୃଶ୍ୟ ହେଉଛି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ବାସୁଚକୁରାଇ ପଞ୍ଚାୟତର ବାସୁଚକୁରାଇ ଗ୍ରାମର । ଚଳିତ ବର୍ଷ ଜଳକା ନଦୀର ବନ୍ୟା ଆସି, ଅଞ୍ଚଳର ସମସ୍ତ ଧାନ ଫସଲ ନଷ୍ଟ କରି ଦେଇଛି । ଧାନ ଫସଲ ରେ ପାଣି ଜମି ରହିବା ଫଳରେ ଧାନଗଛ ସବୁ ପଚିସଢି ନଷ୍ଟ ହୋଇଛି । କେଉଁଠି ଧାନ ଗଛର ମୂଳ ନଥିବା ବେଳେ,ଆଉ କେଉଁଠି ଧାନ ଗଛ ମାଟି ସହିତ ସମ୍ପୂର୍ଣ୍ଣ ମିଶି ଯାଇଛି। ଯାହାପାଇଁ ଆଉ ଧାନ ଫଳିବା ଅସମ୍ଭବ। ତେବେ ଚାଷ ଉପରେ ନିର୍ଭର କରି ଚଳୁଥିବା ଚାଷୀ ମାନେ କିପରି ନିଜର ପରିବାର ପ୍ରତିପୋଷଣ କରିବେ ସେ ନେଇ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। ତେବେ ଏଠାରେ ସୂଚନା ଥାଉକି ଏହି ଗ୍ରାମର ପୂର୍ବରେ ପେଜଗଳା ନଦୀ ରହିଥିବା ବେଳେ, ପଶ୍ଚିମ ପଟରେ ରହିଛି ଜଳକା ନଦୀ । ଗ୍ରାମର ଅଧିକାଂଶ ଲୋକ ଗରିବ ସିମାରେଖା ତଳେ ବସବାସ କରନ୍ତି । ଗ୍ରାମବାସୀ ଙ୍କ ଅନ୍ୟ କୌଣସି ରୋଜଗାର ପନ୍ଥା ନଥିବାବେଳେ, ରୋଜଗାର ଓ ବର୍ଷଜାକ ଆହାର ପାଇଁ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି। ଅନ୍ୟ କୌଣସି ସମ୍ବଳ ନଥିବାରୁ ଚାଷ କରିବା ପାଇଁ ସେବା ସମବାୟ ସମିତି, ବ୍ୟାଙ୍କ ରୁ ଋଣ ଆଣି ଓ ହାତ ଉଧାର କରି ଚାଷ କରିଥାନ୍ତି । ଆଉ ଚାଷ ଅମଳ ପରେ ମିଳିଥିବା ଟଙ୍କାରେ ସାର, ଔଷଧ,କିଟନାଶକ,ବିହନ ସାଙ୍ଗକୁ ବ୍ୟାଙ୍କରୁ ଆଣିଥିବା ଋଣ ଓ କରଜ ପରିଶୋଧ କରିଥାନ୍ତି । ମାତ୍ର ଚଳିତ ବର୍ଷ ଜଳକା ନଦୀରେ ଛୋଟ ବଡ଼ ପାଞ୍ଚଥର ବନ୍ୟା ଆସି,ଚାଷ ଜମିରେ ପାଣି ମାଡି ଯାଇଥିଲା, ଠିକ ଭାବେ ପାଣି ନିଷ୍କାସନ ବ୍ୟବସ୍ଥା ନଥିବାରୁ, ବାସି ଚକୁରାଇ ସମେତ ବସ୍ତା ବ୍ଲକର ପତ୍ରଝଡ଼ା, ସଦାନନ୍ଦପୁର, ବାହାରଦା, କୋଡ଼ିଆ,ମଥାନୀ, ଦୁଧହଂଷା, ରାଉତପଡା, ଗଡପଦା, ଦରଡା, ବ୍ରାହ୍ମଣଦା,ବରୁଣଗଡିଆ ଭଳି ପଞ୍ଚାୟତରୁ ୫ ଶହ ହେକ୍ଟରରୁ ଉର୍ଦ୍ଧ୍ବ ଜମିରେ ନଷ୍ଟ ହୋଇଛି ଧାନ ଫସଲ । ଅନ୍ୟ ପଟେ କ୍ଷୟଖତିର ଆକଳନ କରି କୃଷକଙ୍କୁ ସହାୟତା କିମ୍ବା ଵ୍ୟାଙ୍କ ଋଣ ଛାଡ଼ କରିବା ଦୂରର କଥା,ବିଭାଗୀୟ ଅଧିକାରୀ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ନାହାନ୍ତି।