(ପ୍ରଶାନ୍ତ କୁମାର ସ୍ୱାଇଁ)ଭୁବନେଶ୍ୱର: ରାଜ୍ୟର ବନ୍ୟା ବିପତ୍ତିରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ୭ଟି ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅଧିକ କ୍ଷତି ହୋଇଛି ଜିଲାନାସୀ ପଞ୍ଚାୟତ। ଚାଷଜମିରେ ଧାନ ଠିକ୍ ଫୁଲ ଉଡାଇବା ସମୟ ଏବଂ ପନୀପରିବା ଚାଷରେ ଫଳ ଧରିଥିବା ବେଳେ ହଠାତ୍ ମହାନଦୀ ଓ ତାର ଶାଖା ନଦୀରେ ବନ୍ୟାଜଳ ଆସିବା ପରେ ହେକ୍ଟର ହେକ୍ଟର ଚାଷଜମି ହୋଇଯାଇଥିଲା ଜଳମଗ୍ନ। ଏହାଦ୍ବାରା ଚାଷଜମି ଓ ଚାଷୀମାନଙ୍କ ଉପରେ ପଡିଥିଲା ପ୍ରଭାବ।ଏବେ ୫ଦିନ ପରେ ଚାଷଜମିରୁ ପାଣି ଛାଡି ଯାଇଛି ସତ, ହେଲେ ଚାଷୀଙ୍କ ଦୁର୍ଦ୍ଦଶାକୁ ଦ୍ବିଗୁଣିତ କରିଦେଇଛି।ବନ୍ୟାଜଳରେ ହେକ୍ଟର ହେକ୍ଟର ଚାଷଜମି ପଚିନଷ୍ଟ ହୋଇ ଯାଇଥିବା ବେଳେ ମୂଲ୍ୟବାନ ପନୀପରିବା ନୋଧୀ, ଭେଣ୍ଡି, କଲରା ଜହ୍ନି, କାକୁଡି, ଲଙ୍କା ଭଳି ପରିବା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏମିତିକି ମୂଳା,କୋବି, ମଟର ଭଳି ଲଗା ଯାଇଥିବା ଚାରା ସମ୍ପୂର୍ଣ୍ଣ ଧୋଇ ହୋଇ ଯାଇଛି। ଜିଲାନାସୀ ପଞ୍ଚାୟତ ସାହାରାଡିଆ ଗ୍ରାମର ୯୫ପ୍ରତିଶତ ଲୋକ ଚାଷୀ, ସମସ୍ତେ ଏହି ଚାଷ ଉପରେ ନିର୍ଭର କରୁଥାନ୍ତି। ଏଠିକାର ପନୀପରିବା କୁଜଙ୍ଗ, ପାରାଦୀପ, ରାହାମା ଓ କଟକର ବିଭିନ୍ନ ସ୍ଥାନକୁ ଯୋଗାଉ ଥିବାବେଳେ ଏଠିକାର ଚାଷୀ ଏବେ ବଜାରକୁ ଯୋଗାଇବା ତ ଦୂରର କଥା, କିପରି ଏବେ ସେମାନଙ୍କର ଚାଷଜମି ସଜାଡ଼ିବେ ସେଥିନେଇ ଏବେ ଚାଷୀ ଚିନ୍ତାରେ। ଏହି ପଂଚାୟତରେ ପ୍ରାୟ ଦୁଇ ହଜାର ଏକର ଚାଷଜମି କ୍ଷୟକ୍ଷତି ହୋଇଥିବା ବେଳେ ପ୍ରାୟ କିଛି ବର୍ଷ ହେବ ବନ୍ୟା ନଥିବାରୁ ଭଲ ଅମଳ ଆଶାରେ ଚାଷୀମାନେ ଋଣ କରି ଅଧିକ ଧାନ ଓ ପନୀପରିବା ଚାଷ କରିଥିଲେ।ହେଲେ ହଠାତ୍ ବନ୍ୟାଜଳ ଆସି ଯିବାରୁ ସେମାନଙ୍କର ମେରୁଦଣ୍ଡ ଏବେ ଭାଙ୍ଗି ଯାଇଛି। ତେଣୁ ସରକାର ସେମାନଙ୍କୁ ଋଣଛାଡ କରିବା ସହ କ୍ଷୟକ୍ଷତି ଆକଳନ କରି ତୁରନ୍ତ ସହାୟତା କରିବା ପାଇଁ ଚାଷୀମାନେ ଦାବୀ କରିଛନ୍ତି। ଅନ୍ୟ ପଟେ କୃଷି ଅଧିକାରୀ ଓ ତହସିଲଦାର ବନ୍ୟାଞ୍ଚଳ ପରିଦର୍ଶନ କରିବା ପରେ ଚାଷଜମି କ୍ଷୟକ୍ଷତିର ଆକଳନ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆ ଯିବା ପରେ କ୍ଷତିପୂରଣ ଦିଆଯିବ ବୋଲି କୁଜଙ୍ଗ ସହକାରୀ କୃଷି ଅଧିକାରୀ କହିଛନ୍ତି। ଜିଲାନାସୀ ପଞ୍ଚାୟତର ପନୀପରିବା ଉପରେ କୁଜଙ୍ଗ, ପାରାଦୀପ, ରାହାମା, ଓ କଟକ ଭଳି ଅନ୍ୟାନ୍ୟ ଜିଲ୍ଲା ନିର୍ଭର କରୁଥିବା ବେଳେ ଏବେ ବଢିପାଣିରେ ହୋଇଥିବା ଏହି କ୍ଷତି କୁ ନେଇ ପନୀପରିବା ଦର ଆକାଶ ଛୁଆଁ ହେବା ନେଇ ଆଶଙ୍କା କରାଯାଉଛି।