ବର୍ଷର ପ୍ରଥମ ନିଶା କାରବାରୀ ଗିରଫ: ୫୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

0

ଭୁବନେଶ୍ୱର: ୨୦୨୧ ବର୍ଷର ପ୍ରଥମ ବ୍ରାଉନସୁଗର ଚୋରା କାରବାର ଘଟଣାରେ କମିଶନରେଟ ପୁଲିସ ୨ ଜଣଙ୍କୁ ଗିରଫ କରିଛି । ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅଞ୍ଚଳର ସେକ୍‌ ନସିମୁଦ୍ଦିନ ଓରଫ ପପୁ(୨୩) ଓ ମଞ୍ଚେଶ୍ବର ଥାନା ରସୁଲଗଡ଼ ରାଉତରାୟ ସାହିର ଚିତ୍ତରଞ୍ଜନ ରାଉତରାୟ(୬୧) । ବିଶେଷ ସୂତ୍ରରୁ ଖବର ପାଇଁ କୁଇକ୍‌ ଆକ୍ସ ଟିମ୍(କ୍ବାଟ୍‌) ଓ ତମାଣ୍ଡୋ ଥାନା ପୁଲିସ ମିଳିତ ଭାବେ ୨ ନିଶା ବ୍ୟବସାୟୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫୨୦ ଗ୍ରାମ୍‌ ବ୍ରାଉନ୍‌ସୁଗର ଜବତ କରିଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ।
ଏହି ଦୁଇ ଜଣ ବାଲେଶ୍ୱରରୁ ବାଇକଯୋଗେ ବ୍ରାଉନ ସୁଗାର ଆଣି ରାଜଧାନୀର ବିଭିନ୍ନ ଅଞ୍ଚଳରେ ବିକ୍ରି କରୁଥିଲେ । ଏନେଇ ପୂର୍ବରୁ କ୍ବାଟ୍ ପାଖରେ ସୂଚନା ଥିଲା। ତେଣୁ ଏନେଇ କମିସନରେଟ୍‌ ପୁଲିସ ଜାଲ୍ ବିଛାଇଥିଲା। ସେମାନଙ୍କ ନିକଟରୁ ୧୧ ହଜାର ନଗଦ ଟଙ୍କା ସହ ଏକ ବାଇକ୍‌ ଜବତ କରାଯାଇଛି। ଚିତ୍ତ ନାମରେ ମଞ୍ଚେଶ୍ବର ଓ ବିଭିନ୍ନ ଥାନାରେ ୧୩ଟି ମାମଲା ରହିଛି। ସେଥିରେ ଚୋରା ଗଞ୍ଜେଇ ବ୍ୟବସାୟ, ହତ୍ୟା ଉଦ୍ୟମ ଓ ବନ୍ଧୁକ କାରବାର ଆଦି ମାମଲା ରହିଥିବା ଜଣାପଡିଛି।