(ଜୟନ୍ତ କୁମାର ସେଠୀ /ପୁରୀ): କୋଭିଡ କଟକଣା ମଧ୍ୟରେ କିଭଳି ଆର୍ନ୍ତଜାତିକ ବାଲୁକା ମହୋତ୍ସବ ସହିତ କୋଣାର୍କ ମହୋତ୍ସବ ତ୍ୱରାନ୍ୱିତ ହେବ ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଲାଣି । ଆଜି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ଓ ପୁରୀ ଏସପି ଅଖିଲେଶ ସିଂ ଚନ୍ଦ୍ରଭାଗା ବେଳା ଭୂମି ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ । ବିଶେଷକରି ଡିସେମ୍ଵର ୧ ତାରିଖ ଠାରୁ ଡିସେମ୍ଵର ୫ ତାରିଖ ପର୍ୟ୍ୟନ୍ତ ହେବାକୁ ଥିବା କୋଣାର୍କ ମହୋତ୍ସବ ଓ ଆର୍ନ୍ତଜାତିକ ବାଲୁକା କଳା କିପରି କଟକଣା ଭିତରେ ହେବ ଓ ବାହାରୁ ଆସୁଥିବା ପର୍ୟ୍ୟଟକ ମାନେ କିଭଳି ଏହା ଉପଭୋଗ କରିବା ସହିତ କୋରନା କଟକଣା ନିୟମକୁ ମାନିବେ , ପାର୍କିଂ ବ୍ୟବସ୍ଥା , ଆଇନ ଶୃଙ୍ଖଳା ନିୟନ୍ତ୍ରଣ କିଭଳି କରାଯିବ ସେ ନେଇ ଆଲୋଚନା କରିଥିଲେ । ଏହା ସହିତ ବାଲୁକା କଳା ଓ କୋଣାର୍କ ମହୋତ୍ସବରେ ଭାଗ ନେବାକୁ ଆସିଥିବା କଳାକାର ଓ ପର୍ୟ୍ୟଟକ ମାନେ କିପରି ସାମାଜିକ ଦୂରତା ରକ୍ଷା କରିଵା ସହିତ ସାନିଟାଇଜ ବ୍ୟବହାର କରିବେ, କିଭଳି ଅଳ୍ପ ସଂଖ୍ୟକ ଦର୍ଶକ ଏକ ସାଙ୍ଗରେ ଯାଇ ଏହାକୁ ଉପଭୋଗ କରିବେ ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଥିଲେ । ସେପଟେ ପର୍ୟ୍ୟଟକ ମାନଙ୍କର ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ କରିବା ଲାଗି ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ ବୋଲି ପୁରୀ ଏସପି କହିଛନ୍ତି ।