(ଶିଳାସ୍ମିତା ରାୟ) ଭୁବନେଶ୍ୱର: କଂଗ୍ରେସର ସ୍ଥିତି ଯେତେବେଳେ ଦୁର୍ବଳ ହୋଇପଡିଲା, ଯେତେବେଳେ ଲୋକଙ୍କ ଆସ୍ଥା କଂଗ୍ରେସ ଉପରୁ ସମ୍ପୂର୍ଣ୍ଣ ଉଠିଯିବାକୁ ବସିଥିଲା, ସେତେବେଳେ କଂଗ୍ରେସକୁ କୂଳରେ ଲଗାଇବାକୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ରାଜନୀତିରେ ସକ୍ରିୟ କରାଗଲା । ଜୀନ୍ସ ପିନ୍ଧୁଥିବା ପ୍ରୟଙ୍କା ଜେଜେ ମା’ ଇନ୍ଦିରାଙ୍କ ବିକଳ୍ପ ରୂପେ କେବଳ ଦଳରେ ସାମିଲ ହେଲେ ନାହିଁ ବରଂ ଇନ୍ଦିରାଙ୍କ ପୋଷାକ, ପରିପାଟିକୁ ମଧ୍ୟ ଆପଣେଇ ନେଲେ । ଏହା ପରେ ଦଳୀୟ କର୍ମୀଙ୍କ ଭଗ୍ନ ମନୋବଳକୁ ଶକ୍ତି ମିଳିବା ଆରମ୍ଭ କରିଛି । ପ୍ରିୟଙ୍କାଙ୍କୁ ନେଇ ମୋଦି ହଟାଓ ଅଭିଯାନ ଆରମ୍ଭ କରିଛି କଂଗ୍ରେସ । ଦଳୀୟ କର୍ମୀ ଓ ନେତାଙ୍କ ମହଲରେ ଚର୍ଚ୍ଚା ହେଉଛି, ପ୍ରିୟଙ୍କା ହେଉଛନ୍ତି ଇନ୍ଦିରାଙ୍କ ଅବିକଳ ନକଲ । ତାଙ୍କ ବ୍ୟକ୍ତିତ୍ୱ, କଥା କହିବା ଶୈଳୀ, ବିବେକ, ବୁଦ୍ଧି ସବୁକିଛି କୁଆଡେ ଇନ୍ଦିରାଙ୍କ ପରି । ତାଙ୍କ ନେତୃତ୍ୱରେ କଂଗ୍ରେସ ପୁଣି ପୁରୁଣା ଦିନକୁ ଫେରିଯିବ ।
ତେବେ ପ୍ରକୃତରେ କଣ କଂଗ୍ରେସ ତାର ପୂର୍ବ ସ୍ଥିତିରେ ପହଞ୍ôଚ ପାରିବ? ପ୍ରିୟଙ୍କାଙ୍କ ନେତୃତ୍ୱକୁ ଦଳ ତଥା ଦଳ ଅଧ୍ୟକ୍ଷ ତଥା ଉପାଧ୍ୟକ୍ଷା କଣ ଗ୍ରହଣ କରିବେ? ଏପରି ପ୍ରଶ୍ନ ପଛରେ କାରଣ ରହିଛି । କଂଗ୍ରେସର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ ଥିଲେ ଜଣେ ଦକ୍ଷ ଅର୍ଥନୈତିଜ୍ଞ, ରାଜନେତା । ତାଙ୍କ ଅର୍ଥମନ୍ତ୍ରୀତ୍ୱ କାଳରେ ଦେଶର ଅର୍ଥନୀତିରେ ଉନ୍ନତି ଦେଖାଦେଇଥିଲା । ଯେତେବେଳେ ସିଂହ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଲେ ସେହି ସମୟରେ ଦଶବାସୀ ତାଙ୍କ ଦକ୍ଷତାକୁ ନେଇ ଅନେକ କିଛି ଆଶା କରିଥିଲେ । କିନ୍ତୁ ସେପରି କିଛି ହୋଇନଥିଲା । ସିଂହ କେବଳ ଦଳରେ ରବର ଷ୍ଟାମ୍ପ ପାଲଟି ଯାଇଥିଲେ । ଏଥିନେଇ ପରର୍ବର୍ତ୍ତୀ ସମୟରେ ତାଙ୍କୁ ବହୁ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡିଥିଲା । ଦୁଇ ଥର ପ୍ରଧାନମନ୍ତ୍ରୀତ୍ୱ କାଳରେ ସେ ଯାହା କିଛି କହୁଥିଲେ, କରୁଥିଲେ ତାହା ଅଧ୍ୟକ୍ଷାଙ୍କ ନିର୍ଦ୍ଦେଶରେ । ସୋନିଆଙ୍କ ବିନା ଅନୁମତିରେ ସିଂହ କୌଣସି ସିଦ୍ଧାନ୍ତରେ ପହଂଚିପାରୁନଥିଲେ, କୌଣସି ନିଷ୍ପତି ନେବା ଅଧିକାର ତାଙ୍କର ନଥିଲା । ତେଣୁ ତାଙ୍କ ପରି ବଳିଷ୍ଠ ଦକ୍ଷତା ସମ୍ପନ୍ନ ବ୍ୟକ୍ତିତ୍ୱ ପାଲଟି ଗଲେ ସମାଲୋଚନାର ପାତ୍ର ।
ଦଳରେ ସୋନିଆ ଓ ରାହୁଲ ତାଙ୍କୁ କୌଣସି କାର୍ଯ୍ୟ ବ୍ୟକ୍ତିଗତ ସ୍ତରରେ କରିବାକୁ ସ୍ୱାଧୀନତା ଦେଇନଥିଲେ । ତେଣୁ ବର୍ତ୍ତମାନ ପ୍ରିୟଙ୍କାଙ୍କୁ ତାଙ୍କ ଦକ୍ଷତା ପ୍ରତିପାଦନ କରିବାକୁ କଣ ଦିଆଯିବ ବୋଲି ଆଶା କରାଯାଇ ପାରିବ । ପ୍ରଧାନମନ୍ତ୍ରୀ ପଦ ପାଇଁ ଡହଳବିକଳ ହେଉଥିବା ସୋନିଆ ଓ ରାହୁଲ କଣ ପ୍ରିୟଙ୍କାଙ୍କୁ ସ୍ୱଇଛାରେ କାର୍ଯ୍ୟକରିବାକୁ ଦେବେ? ଯଦି ଏପରି ନ କରାଯାଏ ତେବେ ପ୍ରିୟଙ୍କାଙ୍କ ଦଳରେ ସାମିଲ ହେବା ସିଂହଙ୍କ ସମୟର ପୂନରାବୃତି କରିବନାହିଁ ଏପରି ଭାବିବା ନିରର୍ଥକ ହେବ ।