(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ କରା ନ ଯିବା ଓଡିଶାବାସୀଙ୍କ ପ୍ରତି ପ୍ରତାରଣା । ସ୍ୱାଧୀନତା ଆନ୍ଦୋଳନ ସମୟରୁ ଜୀବନର ଶେଷ କ୍ଷଣ ପର୍ଯ୍ୟନ୍ତ ସେ ଦେଶ ମାତୃକାର ସେବାରେ ଜୀବନକୁ ଉତ୍ସର୍ଗ କରିଥିଲେ । ଏପରି ଜଣେ ମହାନ ବ୍ୟକ୍ତିତ୍ୱଙ୍କୁ ଭାରତ ରତ୍ନ ପ୍ରଦାନ ନ କରି କେନ୍ଦ୍ର ସରକାର ଏକ ସୁଯୋଗ ହରାଇଲେ ବୋଲି ଏକ ବିବୃତ୍ିରେ ବିଜେପି ବିଧାୟକ ଦିଲ୍ଲୀପ ରାୟ କ୍ଷୋଭକ୍ତି ପ୍ରକାଶ କରିଛନ୍ତି ।
ଏହି ବିବୃତ୍ତିରେ ସେ ମୋଦି ଓ କେନ୍ଦ୍ରକୁ ବହୁ କଟାକ୍ଷ କରିଛନ୍ତି । ଓଡିଶାବାସୀଙ୍କ ସହ ମୋଦି ସରକାର ପ୍ରତାରଣା କରିଥିବା ଓ ରାଜ୍ୟରେ କେନ୍ଦ୍ରର ବିଭିନ୍ନ ଯୋଜନା ମରିଚିକା ସଦୃଶ ସେ ଦର୍ଶାଇଛନ୍ତି ।
ଋାୟଙ୍କ ବିବୃତି ପଢିବା ପରେ ତାଙ୍କର ବିଜୁ ପଟ୍ଟନାୟକଙ୍କ ପ୍ରତି ସମ୍ମାନକୁ ଦେଖି ମୁଣ୍ଡ ନଇଁ ଯାଉଛି । କିନ୍ତୁ ମନରେ ଏକ ପ୍ରଶ୍ନ ଉଠୁଛି, ସତରେ କ’ଣ ବିଜୁ ପଟ୍ଟନାୟକଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ କରା ନ ଯିବାରୁ ଏ ଅସନ୍ତୁଷ୍ଟି? ନା ୟା ପଛରେ ଆଉ କିଛି ରହିଛି?
ଋାୟ ବର୍ତ୍ତମାନ କୌଣସି ଦଳରେ ନାହାନ୍ତି । ସେ ବିଜେପି ଛାଡିଛନ୍ତି । ଆଗକୁ ନିର୍ବାଚନ । ନିର୍ବାଚନ ବୈତରଣୀ ପାର ହେବାକୁ ସେ କୌଣସି ଏକ ଦଳର ନାଆରେ ପାଦ ରଖିବାକୁ ତତ୍ପର ଅଛନ୍ତି ନିଶ୍ଚିତ । ଏହାପରେ ପୁଣି ରାଜ୍ୟରେ କଂଗ୍ରେସର ସ୍ଥିତି ସଙ୍କଟାପନ୍ନ । ବିଜେପି ଛାଡିଛନ୍ତି । ଆଉ ଯେଉଁ ଛୋଟ ଦଳ ସବୁ ରହିଛି ସେମାନଙ୍କ ସ୍ଥିତି ଦୋଳାୟମାନ । ଯିବେ ତ ଯିବେ କୁଆଡେ । ବିଜେଡିକୁ ଛାଡିଦେଲେ ରାଜ୍ୟରେ ଆଉ କେଉଁ ଦଳ ରହିଲା ବା ଆଉ କେଉଁ ଦଳର ଦବଦବା ରହିଛି? ବିଜୁ ପଟ୍ଟନାୟକଙ୍କ ନାମରେ ସମସ୍ତେ ରାଜ୍ୟବାସୀଙ୍କୁ ଭକୁଆ ବନେଇ ଆସୁଛନ୍ତି । ଏପରି ଅସନ୍ତୋଷ ବ୍ୟକ୍ତ କରି ସେ ରାଜ୍ୟବାସୀଙ୍କ ହୃଦୟ କନ୍ଦରରେ ଘର କରିବାର ପ୍ରୟାସରେ ଅଛନ୍ତି ନା ନବୀନଙ୍କୁ ଆକୃଷ୍ଟ କରିବାକୁ ?