(ଶିଳାସ୍ମିତା ରାୟ) ଭୁବନେଶ୍ୱର: ସାଧାରଣ ନିର୍ବାର୍ଚନ ପାଇଁ ସବୁ ଦଳ ଲୋକଙ୍କୁ ହାତେଇବାକୁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି । କିନ୍ତୁ ଚଳିତ ନିର୍ବାଚନକୁ ବିଭିନ୍ନ ଅଞ୍ଚଳ ବାସିନ୍ଦା ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । କାରଣ ସେମାନଙ୍କୁ ସରକାରୀ କଳର କୌଣସି ସୁବିଧା ସୁଯୋଗ ମିଳିନଥିବା ଅଭିଯୋଗ ହେଉଛି । ସେମିତି ଏକ ଅଞ୍ଚଳ ହେଉଛି ଭଦ୍ରକର ଏକ ଗାଁ ।
ଭଦ୍ରକ ଜିଲ୍ଲା ଧାମରା ବନ୍ଦର ଠାରୁ ମାତ୍ର ୪ କିଲୋମିଟର ଦୂରରେ ଥିବା ବାଂଶଡା ପଞ୍ଚାୟତରର ବଳିହାର ପୁର ଗାଁ । ସେହି ଗାଁରେ ୩୦୦ରୁ ଅଧିକ ଭୋଟର ରହିଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୧୦ଟି ଆଦିବାସୀ ପରିବାର ୧୦ଟି ଦଳିତ ପରିବାର ଓ ୨୪ଟି ଗରିବ ଶ୍ରେଣୀର ଲୋକେ । ଏ ଗାଁକୁ ଆଜି ପର୍ଯ୍ୟନ୍ତ ବିଜୁଳି ଆଲୁଅ ନାହିଁ । ନାହିଁ ପାନିୟ ଜଳ ସୁବିଧା ରହିଛି । ଗ୍ରାମକୁ ୨୦୦୯ରେ ବିଦ୍ୟୁତ ସଂଯୋଗ କରାଯିବାକୁ ସରକାର ଖୁଣ୍ଟ ପୋତିଥିଲେ ଓ ତାର ମଧ୍ୟ ଟଣା ଯାଇଥିଲା । କିନ୍ତୁ ବିଜୁଳି ଆଲୁଅ ଲୋକଙ୍କ ପାଇଁ ଆକାଶ କଇଁଆ ଚିଲିକା ମାଛ ସଦୃଶ ହୋଇ ରହିଛି । ସନ୍ଧ୍ୟାହେଲେ ଲୋକେ ଟିବିରି, ଲ୍ଣ୍ଠନ ଜାଳି ବସନ୍ତି । ପିଲେ ଡିବିରି ଆଲୁଅରେ ବସି ପଢୁଛନ୍ତି । ପିଲାଙ୍କ ଭବିଷ୍ୟତ ପାଇଁ କିଛି ଗ୍ରାମବାସୀ ଗ୍ରାମ ଛାଡି ଦେଇଥିବା କୁହନ୍ତି ଗ୍ରାମବାସୀ ।
ଏଥିନେଇ ବାରମ୍ବାର ବିଦ୍ୟୁତ ବିଭାଗର ଉଚ୍ଚ ପଦାଧିକାରୀଙ୍କ ନିକଟକୁ ଧାଇଁ ଧାଇଁ ନୟାନ୍ତ ହେଲେଣି ଲୋକେ । କେନ୍ଦ୍ର ସୌଭାଗ୍ୟ ଯୋଜନାରେ ଗରିବ ପରିବାରକୁ ମାଗଣା ବିଦ୍ୟୁତ ସଂଯୋଗ ଦେବାକୁ ଆଇନ କରିଥିବା ବେଳେ ବିଭାଗୀୟ ଉଚ୍ଚାଧିକାରୀ ଏଥିନେଇ ୨୫ ଲକ୍ଷ ଟଙ୍କା ଜମା କରିବାକୁ ଗ୍ରାମବାସୀଙ୍କୁ କହିଥିବା ଅଭିଯୋଗ ହୋଇଛି । ଏଠାରେ ରହୁଥିବା ସମସ୍ତ ବାସିନ୍ଦା ଗରିବ ଓ ଦଳିତ ହୋଇଥିବା ବେଳେ ଏତେ ଟଙ୍କା ସେମାନଙ୍କ ପାଇଁ ସ୍ୱପ୍ନ । ତେଣୁ ଚଳିତ ନିର୍ବାଚନକୁ ବର୍ଜନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।