“ବିଜେଡି ରାଜ୍ୟବାସୀଙ୍କ ସହିତ ମେଣ୍ଟ କରିଛି”

0

(ରିପୋର୍ଟରସ ଟୁଡେ)ଭୁବନେଶ୍ବର : ବିଜେଡି ସରକାର ଲୋକଙ୍କ ବିକାଶ ପାଇଁ ନିରନ୍ତର ଭାବେ କାର୍ୟ୍ୟ କରି ଆସୁଛି । ଯଦି ମେଣ୍ଟ କାହା ସହିତ ଅଛି ତାହେଲେ ବିଜୁ ଜନତା ଦଳ କେବଳ ରାଜ୍ୟବାସୀଙ୍କ ସହିତ କରିଛି । କଂଗ୍ରେସ କିମ୍ବା ବିଜେପି ସହିତ ନୁହଁ । ଭୁବନେଶ୍ବର ଗସ୍ତରେ ଆସି ମୋଦୀଙ୍କ ସହ ନବୀନଙ୍କ ଭିତିରି ବୁଝାମଣା ନେଇ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଟିପ୍ପଣୀ ଉପରେ ଏପରି ପ୍ରତିକ୍ରିୟା ରଖିଛି ବିଜେଡି ।
ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ରାଜ୍ୟରେ କଂଗ୍ରେସ କ୍ଷମତାରେ ଥିବାବେଳେ ଅଭିବୃଦ୍ଧି ମାତ୍ର ୩ ପ୍ରତିଶତ ଭିତରେ ସୀମିତ ଥିଲା । କିନ୍ତୁ ବିଜେଡି ସରକାର ସମୟରେ ଏହି ହାର ୧୦ ପ୍ରତିଶତରେ ପହଞ୍ଚିଛି, ଯାହା ଜାତୀୟ ହାରଠାରୁ ଅଧିକ । ଦିନ ଥିଲା ଚାଉଳ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । କିନ୍ତୁ ୨୦୦୭ରୁ ଓଡ଼ିଶା ଚାଉଳ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ସହ ଦେଶରେ ବଳକା ରାଜ୍ୟ ଭାବେ ସାଧାରଣ ବଣ୍ଟନ ବ୍ୟବସ୍ଥା ପାଇଁ ଚାଉଳ ଯୋଗାଣରେ ୩ ନମ୍ବର ସ୍ଥାନରେ ରହିଛି । ସେ ଆହୁରି କହିଛନ୍ତି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ଓଡ଼ିଶା ବିଧାନସଭାର ସଂକଳ୍ପକୁ କଂଗ୍ରେସ ଅଧ୍ୟକ୍ଷ ଭୁଲିଯାଇ କ୍ଷମତାକୁ ଆସିଲେ ୨୬୦୦ ଟଙ୍କା କରିବାକୁ ଘୋଷଣା କରିଛନ୍ତି । ଏହା ହେଉଛି କଂଗ୍ରେସର ଦୋମୁହାଁ ନୀତି । ବିଧାନସଭାରେ କଂଗ୍ରେସ ବିଧାୟକମାନଙ୍କର ଚାଷୀଙ୍କ ପ୍ରତି ଥିବା ଦରଦ ଅଚାନକ ହଜିଗଲା କେମିତି ବୋଲି ପ୍ରଶ୍ନ କରିଛି ବିଜେଡି ।