(ହରପ୍ରସାଦ ବିଶୋଇ)ରିପୋର୍ଟସଟୁଡେ: ଆଜି ବିଜେଡ଼ି ପାଳନ କରିଛି ୨୩ତମ ପ୍ରତିଷ୍ଠା ଦିବସ । ରାଜ୍ୟବ୍ୟାପୀ ପ୍ରତିଷ୍ଠା ଦିବସ ପାଳନ କରିଛି ବିଜେଡ଼ି ଦଳ । ୧୯୯୭ରେ ପ୍ରତିଷ୍ଠା ହୋଇଥିଲା ବିଜେଡ଼ି । ଏହି ପ୍ରତିଷ୍ଠା ଦିବସରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ସେ କହିଛନ୍ତି ଶ୍ରେଷ୍ଠ ଓଡ଼ିଶା ଗଢ଼ିବାର ସଙ୍କଳ୍ପ ନିଅନ୍ତୁ । ଏହାସହ ଅର୍ଥନୀତି କ୍ଷେତ୍ରରେ ଓଡ଼ିଶା ଆଗେଇଛି ବୋଲି ସେ କହିଛନ୍ତି । ବାରମ୍ବାର ବିଶ୍ୱସ୍ତରରେ ସମ୍ମାନିତ ହୋଇଛି ଓଡ଼ିଶା ।ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସଂପର୍କରେ ସେ କହିଥିଲେ ଯେ, ତାଙ୍କ ଆଦର୍ଶ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେବା ଉଚିତ୍ । ଗାନ୍ଧିଜୀଙ୍କର ବାର୍ତ୍ତା ସାରା ମାନବ ଜାତି ପାଇଁ ଓ ସବୁ ସମୟ ପାଇଁ ଆଦର୍ଶ ହୋଇ ରହିଛି ଓ ରହିଥିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜେଡି ଏକ ରାଜନୀତିକ ଦଳ ନୁହେଁ ବରଂ ଏହା ଏକ ଆନ୍ଦୋଳନ । ଦଳ ତିଷ୍ଠି ରହିବା ସହ ନିଜର ଅଭିବୃଦ୍ଧି ପାଇଁ ତାଙ୍କ ସମେତ କିଛି ଲୋକଙ୍କ ଉପରେ ଏହା ଆଦୌ ନିର୍ଭରଶୀଳ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜୁ ବାବୁଙ୍କୁ ମନେପକାଇ ସେ କହିଛନ୍ତି ଯେ, ବିଜୁ ବାବୁ କହିଥିଲେ ତାଙ୍କ ପ୍ରତି ଆନୁଗତ୍ୟ ନଦେଖାଇ ଓଡ଼ିଶା ପ୍ରତି ଦେଖାଇବାକୁ । ଆଜି ବିଜେଡି ଏକ ଜନ ଆନ୍ଦୋଳନରେ ପରିଣତ ହୋଇଥିବା ସେ କହିଛନ୍ତି ।
ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ସାଢ଼େ ୪ କୋଟି ଭାଇ ଓ ଭଉଣୀ ଆମ ପରିବାର । ଭୋଟ୍ ଜରିଆରେ ସେମାନେ ଦେଇଥିବା ଦାୟିତ୍ୱ କ୍ଷମତା ନୁହେଁ । ବିଜେଡି ପରିବାରର ସେବା ପାଇଁ ଏହା ଏକ ମହାନ ସୁଯୋଗ । ନିର୍ବାଚନରେ ଜିତିବା ପାଇଁ ବିଜେଡି କାମ କରୁନି । ସେବା ଦ୍ୱାରା ଲୋକଙ୍କ ହୃଦୟ ଜିତିବା ଦଳର ଲକ୍ଷ୍ୟ ବୋଲି ସେ କହିଥିଲେ । ଏତିପାଇଁ ୩୬୫ ଦିନ କାମ କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଥିଲେ । ତେବେ ଏହି ନୀତିକୁ ଅନୁସରଣ କରି ବିଜୁ ଜନତା ଦଳ ଆଜି ଓଡ଼ିଶାର ବିକାଶର ପରିଚୟ ହୋଇପାରିଛି ।