ବିଜେପିର ତ୍ରୁଟିପୂର୍ଣ୍ଣ ଟିକେଟ ବଣ୍ଟନ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: କଂଗ୍ରେସ, ବିଜେଡି, ବିଜେପି ଓଡିଶା ପାଇଁ ତାର ପ୍ରଥମ ଓ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ତେବେ ପ୍ରାର୍ଥୀ ତାଲିକା ଘୋଷଣାକୁ ନେଇ ଆଶାୟୀ ଓ ସମର୍ଥକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ସବୁ ଦଳରେ ଏହି ଅସନ୍ତୋଷ ଦେଖିବାକୁ ମିଳିଛି । ଏଥିନେଇ ଦୁଇ ଦିନ ଧରି ବିଜେପି କାର୍ଯ୍ୟାଳୟ ଫାଟକରେ କିଛି ଅସନ୍ତୁଷ୍ଟ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ତାଲା ପକାଇ ଦେବା ସହ ଧାରଣାରେ ବସିଥିବା ଦେଖିବାକୁ ମିଳୁଛି ।
ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ତ ସବୁ ଦଳ ମଧ୍ୟରେ ରହିଛି । କିନ୍ତୁ ବିଜେପିର ଟିକେଟ ବଣ୍ଟନରେ ତ୍ରୁଟି ଥିବା ରାଜନୈତିକ ବିଶେଷଜ୍ଞଗଣ ମତ ଦେଉଛନ୍ତି । ଚଳିତ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଯେଉଁ ତାଲିକା ପ୍ରକାଶ ପାଇଛି, ସେଥିରେ ଅନେକ ନୂଆ ମୁହଁ ରହିଥିବା ବେଳେ ଅନେକ ବିଜୟୀ ପ୍ରାର୍ଥୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଦେଖିବାକୁ ମିଳିଛି, ଯାହା ଦଳକୁ ହାରର ସ୍ୱାଦ ଚକ୍ଷାଇବ ବୋଲି ଚର୍ଚ୍ଚା ହେଉଛି । ସେହି ତ୍ରୁଟିପୂର୍ଣ୍ଣ ତାଲିକାରେ ରହିଛନ୍ତି ବରଗଡ, ବାଲେଶ୍ୱର, ବ୍ରହ୍ମପୁର, ଦିଗପହଣ୍ଡି, ପୁରୀ, ଏକାମ୍ର, ଚିଲିକା ପରି ଆସନ ।
ବିଶେଷଜ୍ଞଙ୍କ ମତାନୁଶାରେ, ସୁରୋଶ ପୂଜାରୀଙ୍କ ସଂଗଠନିକ କ୍ଷେତ୍ର ସମ୍ବଲପୁର ହୋଇଥିବା ବେଳେ ତାଙ୍କୁ ବରଗଡରୁ ଟିକେଟ ଦିଆଯାଇଛି । ତେଣୁ ସେଠାରେ ପୂଜାରୀଙ୍କ ହାରିବା ସମ୍ଭାବନା ୫୦ ପ୍ରତିଶତ ରହିଛି । ତାଙ୍କ ପରି ଜଣେ ବିଜୟୀ ପ୍ରାର୍ଥୀଙ୍କୁ ସ୍ଥାନାନ୍ତର କରିବା ବିଜେପି ପାଇଁ କ୍ଷତିକାରକ ହେବ ବୋଲି କୁହାଯାଉଛି । ପ୍ରତାପଙ୍କୁ ଏମଏଲଏ ଟିକେଟ ଦିଆଯାଇଥିଲେ ତାଙ୍କ ସୁନିଶ୍ଚିତ ଥିଲା ବୋଲି କୁହାଯାଉଛି । କିନ୍ତୁ ବାଲେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ପ୍ରତାପ ଶଡଙ୍ଗୀଙ୍କୁ ଟିକେଟ ଦିଆଯାଇଛି, ଯାହା ତାଙ୍କ ବିଜୟ ସମ୍ଭାବନାକୁ କ୍ଷୀଣ କରିଛି । ବ୍ରହ୍ମପୁରରୁ ଭୃଗୁ ବକ୍ସିପାତ୍ରଙ୍କୁ ସଂସଦୀୟ କ୍ଷେତ୍ରରୁ ଠିଆ କରାଯାଇଛି । ଏସମ୍ପର୍କରେ କୁହାଯାଉଛି, ବକ୍ସିପାତ୍ର କରପୋରେଟର ଭାବେ ପରାଜୟ ବରଣ କରିଥିବା ବେଳେ ତାଙ୍କୁ ସାଂସଦଭାବେ ଠିଆ କରାଯାଇଛି । ସେହିପରି ହିଞ୍ଜିଳି ଆସନରେ ଠିଆ ହେଉଥିବା ପିଙ୍କି ପ୍ରଧାନ, ଯେକି, ସେହି ଅଞ୍ଚଳରେ ନିଜ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି, ତାଙ୍କୁ ସେଠାରୁ ହଟାଯାଇ ଦିଗପହଣ୍ଡିରୁ ପ୍ରାର୍ଥୀ କରାଯାଇଛି । ତେଣୁ ଦିଗପହଣ୍ଡିରୁ ଆଶାୟୀ ଉତ୍ତମ ପାଣିଗ୍ରାହୀ ତାଙ୍କ ସମର୍ଥକଙ୍କ ସହ ବିରୋଧ ପ୍ରଦର୍ଶନ କରିଛନ୍ତି ।
ସେହିପରି ପୁରୀରୁ ସମ୍ବିତ ପାତ୍ରଙ୍କୁ ଠିଆକରାଯାଇଛି, ପୁରୀ ବାସୀଙ୍କ ସ୍ୱଭାବାନୁଯାୟୀ, ସେମାନେ ସେମାନଙ୍କ ଅଞ୍ଚଳବାସୀଙ୍କୁ ହିଁ ଭୋଟ ଦେଇଥାନ୍ତି, କିନ୍ତୁ ପାତ୍ର ପୁରୀ ବାସିନ୍ଦା ନୁହଁନ୍ତି, ତେଣୁ ସେଠାରୁ ତାଙ୍କ ହାରିବା ସମ୍ଭାବନା ଅଧିକ । ଭୁବନେଶ୍ୱରର ଏଳାମ୍ରରୁ ବାବୁ ସିଂଙ୍କୁ ଟିକେଟ ଦିଆଯାଇଛି, ବାବୁ ନିକଟରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ବେଳେ ସେଠାରେ ଦୀର୍ଘ ଦିନରୁ ବିଜେପି ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିବା ଅମୀୟ ଦାସଙ୍କୁ ବାଦ ଦିଆଯାଇଛି । ତେଣୁ ସେଠାରେ ମଧ୍ୟ ବିଜେପିକୁ ବିରୋଧର ସମ୍ମୁଖିନ ହେବାକୁ ପଡୁଛି । ଚିଲିକା ଆସନରେ ମଧ୍ୟ ସମ ଦଶା । ସେଠାରେ ବିଜେପି ପାଇଁ କାମ କରିଥିବା ବିଭୂତି ହରିଚନ୍ଦନଙ୍କୁ ହଟାଯାଇ ତାଙ୍କ ପୁତୁରା ପୃଥିରାଜ ହରିଚନ୍ଦନଙ୍କୁ ଟିକେଟ ଦିଆଯାଇଛି ।
ଟିକେଟ ବଣ୍ଟନ କ୍ଷେତ୍ରରେ ବିଜେପିରେ ବ୍ୟପକ ଦୁର୍ନୀତି ହୋଇଥିବା ଅଭିଯୋଗ ହେବା ସହ ଏହା ଦଳର ଅଦୂରଦୃଷ୍ଟିତାକୁ ଦର୍ଶାଉଛି ବୋଲି ଚର୍ଚ୍ଚା ହେଉଛି । ବିଜେପିର ନିଷ୍ପତି ବିଜେଡି ପାଇଁ ଶୁଭଙ୍କର ହୋଇଛି ବୋଲି ମଧ୍ୟ ମତପ୍ରକାଶ ପାଉଛି । ,