(ଶିଳାସ୍ମିତା ରାୟ) ଭୁବନେଶ୍ୱର: ନିର୍ବାଚନକୁ ଆଉ ୧୫ ଦିନ ଥିବା ବେଳେ ଏଯାବତ୍ ଦଳ ଡିଆଁ ଓ ବଜନଦାର ନେତାଙ୍କୁ ଦଳରେ ସାମିଲ କରିବା ପର୍ବ ଶେଷ ହେଉନାହିଁ । ମୁଖ୍ୟତଃ ଦୁଇ ବରିଷ୍ଠ ନେତା ଦିଲୀପ ରାୟ ଓ ବିଜୟ ମହାପାତ୍ରଙ୍କୁ ନେଇ ଅଙ୍କକଷା ଶେଷ ହେଉନାହିଁ । ତେବେ ବିଜୟଙ୍କୁ ମନେଇବାକୁ ଗତ କାଲି ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ବିଜୟଙ୍କ ବାସଗୃହକୁ ଯାଇଥିଲେ । ସେଠାରେ ତାଙ୍କ ସହ ଆଲୋଚନା କରିବା ସହ ତାଙ୍କୁ ପୁଣି ଦଳକୁ ପାଛୋଟି ନେବାକୁ ଯଥାସାଧ୍ୟ ଚେଷ୍ଟା କରିଥିଲେ ଉଭୟ ନେତା ବୋଲି ବିଶେଷ ସୂତ୍ରରୁ ଖବର ରହିଛି ।
କେଉଁ ବିଷୟକୁ ନେଇ ଆଲୋଚନା ହୋଇଛି, ତାହାକୁ ନେଇ କୌଣସି ବିସ୍ତୃତ ସୂଚନା ମିଳିନ ଥିଲେ ବି କୁହାଯାଉଛି, କେନ୍ଦ୍ରାପଡାରେ ବିଜୟଙ୍କୁ ନେଇ ଦେଖାଦେଇଥିବା ଅସନ୍ତୋଷ ପ୍ରଶମିତ କରିବାକୁ ତଥା ସେଠାରେ ବିଜୟଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ବିଜେପି ପକ୍ଷରୁ ରଣନୀତି ପ୍ରସ୍ତୁତ କରିବାକୁ ନେଇ ଉଭୟ ନେତା ବିଜୟଙ୍କୁ ଆଶ୍ୱାସନା ଦେଇଥିବା ଶୁଣିବାକୁ ମିଳିଛି । ଏହା ପରେ ବିଜୟ ବିଜେପିକୁ ଖୁବ ଶୀଘ୍ର ଫେରିବାକୁ ସଙ୍କେତ ଦେଇଥିବା ଶୁଣିବାକୁ ମିଳୁଚି ।