ବିଦ୍ୟାଳୟରେ ତାଲା , ଦୋକାନ ଗୃହରେ ପଢୁଛନ୍ତି ଛାତ୍ରଛାତ୍ରୀ

0

( ଉଦଳା / ଦୀପକ ମିଶ୍ର ): ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ଶିକ୍ଷକ । ଶିକ୍ଷକଙ୍କ ମନମୁଖି ଶାସନ ପାଇଁ ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇଛନ୍ତି । ଚାରି ଦିନ ହେବ ବିଦ୍ୟାଳୟରେ ପଡ଼ିିଛି ତାଲା । ପାଠ ପଢା ଠପ । ବିଦ୍ୟାଳୟ ଭିତରକୁ ପଶି ପାରୁନାହାନ୍ତି କେହି । ଏମିତିକି ଚାରି ଦିନ ହେବ ଏକ ଦୋକନରେ ପାଠପଢୁଛନ୍ତି ପିଲାମାନେ । ସେମାନଙ୍କୁ ପଢାଉଛନ୍ତି କିଛି ସ୍ଥାନୀୟ ଯୁବକମାନେ । ଏଭଳି ଏକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ସ୍ଥିତ ଖୁଂଟା ଶିକ୍ଷା ବିଭାଗ ଅଧୀନରେ ଥିବା ସୋନପୋଖରୀ ପ୍ରାଥମିକ ବିଦ୍ୟାଳୟରେ ।
ବିଦ୍ୟାଳୟର ଜଣେ ଶିକ୍ଷକ ସତ୍ୟନାରାୟଣ ବେହେରା ବିଦ୍ୟାଳୟକୁ ପ୍ରତ୍ୟେକ ଦିନ ଆସନ୍ତି ନାହିଁ । ଯାହାଫଳରେ ଶିକ୍ଷା ଦାନ ବାଧାପ୍ରାପ୍ତ ହୁଏ । ଏହା ସହ ସେ ବିଦ୍ୟାଳୟକୁ ନ ଆସିଲେ ବି ଉପସ୍ଥାପନ ଖାତାରେ ସବୁ ଦିନ ଉପସ୍ଥିତ ଥିବା ନେଇ ଦସ୍ତଖତ ମାରିଥାନ୍ତି । ଏପରିକି ଏ ବାବଦରେ ସ୍କୁଲ ପରିଚାଳନା କମିଟି କିମ୍ବା ଅଭିଭାବକ କିଛି କହିଲେ ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି । ତିନି ମାସ ବଦଳି ହୋଇ ଆସିଥିଲେ ମଧ୍ୟ ସେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉନଥିବା ଅଭିଯୋଗ ହୋଇ ଆସୁଥିଲା । ଯାହା ଫଲରେ ତାଙ୍କର ବଦଳି ଦାବି କରି ଅଭିଭାବକ ଏବଂ ସ୍କୁଲ ପରିଚାଳନା କମିଟି ପକ୍ଷରୁ ବିଦ୍ୟାଳୟ ମୁଖ୍ୟ ଫାଟକରେ ଆଜିକୁ ଚାରି ଦିନ ହେବ ତାଲା ମାରାଯାଇଛି । ଯେଉଁଥି ପାଇଁ ବିଦ୍ୟାଳୟରେ ପଢୁଥିବା ୫୮ ଜଣ ଛାତ୍ରଛାତ୍ରୀଙ୍କୁ ଗ୍ରାମର କିଛି ଶିକ୍ଷିତ ଯୁବକ ଏକ ଦୋକାନ ଗୃହରେ ବସି ପାଠ ପଢାଉଛନ୍ତି ।
ଗ୍ରାମବାସୀ ଏନେଇ ବିଇଓ ଙ୍କ ଠାରୁ ଉପରିସ୍ଥ ଅଧିକାରୀ ସମସ୍ତଙ୍କୁ ଅବଗତ କରାଇଥିଲେ ସୁଦ୍ଧା କିଛି ସୁଫଳ ମିଳିପାରି ନାହିଁ । ହେଲେ ପ୍ରଧାନ ଶିକ୍ଷକ ପୁରା ଘଟଣାକୁ ସ୍ୱୀକାର କରିଛନ୍ତି ଏବଂ ଏହି ସମସ୍ୟା ବାବଦରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଥିବା କହିଛନ୍ତି ।