(ଜ୍ୟୋତିରଞ୍ଜନ ଧର)କଣିହାଁ:ଅନୁଗୁଳ ଜିଲ୍ଲା ଇଭନିଙ୍ଗ କଲେଜ ପରିସରରେ ଶୁକ୍ରବାର ଦିନ ଅଲ୍ ଇଣ୍ଡିଆ ଡି.ଏସ୍.ଓ. ଜିଲ୍ଲା କମିଟି ଉଦ୍ୟୋଗରେ ବିଭିନ୍ନ ଶିକ୍ଷାଗତ ଦାବି ନେଇ ଏକ କନଭେନସନ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଶ୍ରେଣୀରୁ ପାସ୍-ଫେଲ୍ ବ୍ୟବସ୍ଥା ଲାଗୁ, ଶିକ୍ଷାର ସମସ୍ତ ସ୍ତରରେ ଫିସ୍ ବୃଦ୍ଧି ଓ ଶିକ୍ଷାର ବ୍ୟବସାୟୀକରଣ ବନ୍ଦ, ସ୍ଥାୟୀ ଭିତ୍ତିରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତି, ୯୬୬ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର, ସେମିଷ୍ଟାର ଓ ଚଏସ୍ ବେସ୍ଡ କ୍ରେଡିଟ୍ ସିଷ୍ଟମ୍ (ସି.ବି.ସି.ଏସ୍) ବାତିଲ୍, ଇତିହାସର ବିକୃତିକରଣ ଓ ଅବୈଜ୍ଞାନିକ ଚିନ୍ତା ପ୍ରସାର ବନ୍ଦ ଓ ପ୍ରସ୍ତାବିତ ଜାତୀୟ ଶିକ୍ଷାନୀତି-୨୦୧୯ ଖସଡା ବାତିଲ ଏବଂ ପତ୍ୟେକ୍ଷ ଛାତ୍ର ସଂସଦ ନିର୍ବାଚନ କରିବା ଦାବିରେ ଏହି କନଭେନସନ ଅନୁଷ୍ଠିତ ହୋଇଥିଲା । ଡି.ଏସ୍.ଓ. ଜିଲ୍ଲା ସଭାପତି ପରମାନନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କନଭେନସନ ପ୍ରାରମ୍ଭରେ ଇଭ୍ନିଙ୍ଗ୍ କଲେଜର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ବିଜୟ କୁମାର ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ୍ ନିରବତା ଅବଲମ୍ବନ କରାଯାଇଥିଲା । ସଂଗଠିକା ପ୍ରଭାସୀ ସ୍ୱାଇଁ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଜିଲ୍ଲା ସମ୍ପାଦକ ନାରାୟଣ ନାୟକ କନଭେନସନ ମୁଖ୍ୟ ଚିଠା ପ୍ରସ୍ତାବ ଆଗତ କରିଥିଲେ । ଏହି ଚିଠା ପ୍ରସ୍ତାବ ସମର୍ଥନରେ ଅନୁଗୁଳ କଲେଜ ଛାତ୍ର ସଂଗ୍ରାମ ନାଏକ, ଅତୀଶ ରଞ୍ଜନ ପ୍ରଧାନ, ଶୁଭସ୍ମିତା ଜେନା, ନିରୂପମା ନାୟକ, ଏଲିସା ପ୍ରିୟଦର୍ଶିନୀ, ଅନୂପମା ନାଏକ, ଶାଶ୍ୱତ କୁମାର ସାହୁ, ରୋଜାଲିନ ବାରିକ ଏବଂ ବିଭିନ୍ନ ଛାତ୍ରଛାତ୍ରୀ ବକ୍ତବ୍ୟ ରଖିଥିଲେ । ଏହି କନଭେନସନ ମୁଖ୍ୟବକ୍ତା ଭାବରେ ଡି.ଏସ୍.ଓ. ଓଡିଶା ରାଜ୍ୟ ପରିଷଦର ଉପସଭାପତି କମ୍ରେଡ ସିଦ୍ଧାର୍ଥ ରଥ ଯୋଗଦେଇ ପାର୍ଲାମେଣ୍ଟରେ ଆଗତ ହୋଇଥିବା ପ୍ରସ୍ତାବିତ ଜାତୀୟ ଶିକ୍ଷାନୀତି-୨୦୧୯ ଖସଡା ଲାଗୁ କରି ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ସହିତ ଖେଳଖେଳୁଛନ୍ତି । ଯାହାକି ଭାରତବର୍ଷର ପୁରାତନ ସର୍ବବୃହତ ଶିକ୍ଷକ ସଂଗଠନ, ଛାତ୍ର ସଂଗଠନ ଏବଂ ବିଶିଷ୍ଟ ଶିକ୍ଷାବିତ୍ ମାନଙ୍କର କୌଣସି ମତାମତ ନିଆଯାଇନାହିଁ । ଏହି ନୀତି ଅନୁଯାୟୀ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକକୁ ମିଶାଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବଦଳରେ ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୮ଟା ସେମିଷ୍ଟାରରେ ପରୀକ୍ଷା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ବିନା ପରୀକ୍ଷାରେ ପାଠ ପଢ଼ିଥିବା ପିଲା ହଠାତ୍ ନବମ ଶ୍ରେଣୀରେ ସେମିଷ୍ଟାର ପରୀକ୍ଷାର ସମ୍ମୁଖୀନ ହେବେ ଯାହାକି ସମ୍ପୂର୍ଣ୍ଣ ଅବୈଜ୍ଞାନିକ ଓ ଅଗଣତାନ୍ତ୍ରିକ । ଯାହାଫଳରେ ସ୍କୁଲ ଶିକ୍ଷା ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ପାଇବ । ଏହି ଖସଡା ଅନୁଯାୟୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୋଧ ଶକ୍ତି ଓ ଆବେଗରେ ବୃଦ୍ଧି ଘଟାଇବା ପାଇଁ ଭାରତୀୟ ଦୃଷ୍ଟିଭଙ୍ଗୀରୁ ବିଚାର କରି ଭାରତର ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ପ୍ରଥା ପରମ୍ପରାଗୁଡିକୁ ଶିକ୍ଷାରେ ସାମିଲ କରାଯିବ । ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯୁକ୍ତିବାଦୀ ମନନଶୀଳତାକୁ ଧ୍ୱଂସ କରାଯାଇ ସାମ୍ପ୍ରଦାୟିକତାର ବିଷମଞ୍ଜି ବୁଣାଯିବ ବୋଲି ତାଙ୍କ ବକ୍ତବ୍ୟ ମାଧ୍ୟମରେ ଉପସ୍ଥାପନ କରିଥିଲେ । ସେହିପରି ମୁଖ୍ୟ ଅତିଥି ଭାବେ ଅବରସରପ୍ରାପ୍ତ ଶିକ୍ଷକ ପ୍ରସାଦି ପ୍ରଧାନ, ଅନ୍ୟତମ ଅତିଥି ଅଧ୍ୟାପକ ପ୍ରଦୀପ କୁମାର କର, ଡି.ଟି.ଓ.ର ଜିଲ୍ଲା ସମ୍ପାଦକ ଚି ରଞ୍ଜନ ମେଣ୍ଡୁଲି ପ୍ରମୁଖ ଶିକ୍ଷାମାରଣ ନୀତି ବିରୁଦ୍ଧରେ ବକ୍ତବ୍ୟ ରଖିଥିଲେ ।