ବିସିସିଆଇର କେନ୍ଦ୍ରୀୟ ଚୁକ୍ତ ତାଲିକା

0

(ସରୋଜ କୁମାର ରାଉତ/ନୂଆଦିଲ୍ଲୀ): ଭାରତୀୟ କ୍ରିକେଟ୍‌ କଂଟ୍ରୋଲ ବୋର୍ଡ (ବିସିସିଆଇ) ୨୦୧୮-୧୯ ବର୍ଷ ପାଇଁ ପୁରୁଷ ଖେଳାଳିଙ୍କ ପାଇଁ କେନ୍ଦ୍ରୀୟ ଚୁକ୍ତି ଘୋଷଣା କରିଛି। ଏମ୍‌ଏସ୍‌କେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଜାତୀୟ ମନୋନୟନ ସମିତି ଏହି ଚୁକ୍ତି ତାଲିକାରେ ୨୫ ଖେଳାଳିଙ୍କୁ ୪ ଗ୍ରେଡ୍‌ରେ ସାମିଲ କରିଛି। ସେମାନଙ୍କ ମଧ୍ୟରୁ ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା ଏବଂ ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା ଗ୍ରେଡ୍‌-ଏ+ରେ ସାମିଲ ହୋଇଛନ୍ତି। ଏହି ତିନି ଜଣ ବାର୍ଷିକ ସର୍ବାଧିକ ୭ କୋଟି ଲେଖାଏଁ ଟଙ୍କା ଆୟ କରିବେ। ହେଲେ ବାମହାତୀ ବ୍ୟାଟ୍‌ସମ୍ୟାନ୍‌ ଶିଖର ଧାୱନ୍‌ ଏବଂ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଏହି ସର୍ବୋଚ୍ଚ ଗ୍ରେଡ୍‌ ତାଲିକାରୁ ଖସି ଯାଇଛନ୍ତି। ଧାୱନ୍‌ ଗ୍ରେଡ୍‌-ଏରେ ସାମିଲ ହୋଇଛନ୍ତି। ତେବେ ଗତ ବର୍ଷ ପର୍ୟ୍ୟନ୍ତ ଏହି ତାଲିକାକୁ ଆସିନଥିବା ଯୁବ ୱିକେଟ୍‌ ରକ୍ଷକ ଋଷଭ ପନ୍ତ୍‌ଙ୍କ କ୍ରିକେଟ୍‌ ଜୀବନ ଏଥର ନୂଆ ମୋଡ଼ ନେଇଯାଇଛି। ଆନ୍ତର୍ଜାତିକ କ୍ରିକେଟ୍‌କୁ ଆସିବା ପରଠୁ ସ୍ଥିର ପ୍ରଦର୍ଶନ ଦେଇ ଚାଲିଥିବା ଯୋଗୁଁ ବିସିସିଆଇ ୨୧ ବର୍ଷ ବୟସ୍କ ପନ୍ତଙ୍କୁ ବଡ଼ ଉପହାର ଦେଇଛି। ପନ୍ତ୍‌ଙ୍କ ନାମ ସିଧାସଳଖ ଗ୍ରେଡ୍‌-ଏ ଚୁକ୍ତି ତାଲିକାରେ ସାମିଲ ହୋଇଯାଇଛି। ଫଳରେ ପନ୍ତ୍‌ ବାର୍ଷିକ ୫ କୋଟି ଟଙ୍କା ପାଇବେ। ତାଙ୍କ ବ୍ୟତୀତ ୧୦ ଜଣିଆ ଗ୍ରେଡ୍‌-ଏ ତାଲିକାରେ ରବିଚନ୍ଦ୍ରନ୍‌ ଅଶ୍ବିନ୍‌, ରବୀନ୍ଦ୍ର ଜାଦେଜା, ଭୁବନେଶ୍ବର କୁମାର, ଚେତେଶ୍ବର ପୂଜାରା, ମହେନ୍ଦ୍ର ସିଂହ ଧୋନି, ଶିଖର ଧାୱନ୍‌, ମହମ୍ମଦ ସାମି, ଈଶାନ୍ତ ଶର୍ମା ଓ କୁଲ୍‌ଦୀପ୍‌ ଯାଦବ ରହିଛନ୍ତି। ଗ୍ରେଡ୍‌-ବି (୩ କୋଟି)ରେ ମାତ୍ର ୪ ଜଣ ଲୋକେଶ ରାହୁଲ୍‌, ଉମେଶ ଯାଦବ, ୟୁଜ୍‌ବେନ୍ଦ୍ର ଚହଲ୍‌ ଓ ହାର୍ଦିକ୍‌ ପାଣ୍ଡ୍ୟା ସାମିଲ ହୋଇଥିଲା ବେଳେ ୭ ଜଣିଆ ଗ୍ରେଡ୍‌-ସି (୧ କୋଟି) ତାଲିକାରେ କେଦାର ଯାଦବ, ଦୀନେଶ କାର୍ତିକ, ଅମ୍ବାତି ରାୟୁଡୁ, ମନୀଷ ପାଣ୍ଡେ, ହନୁମା ବିହାରୀ, ଖଲିଲ ଅହମ୍ମଦ ଓ ରିଦ୍ଧିମାନ ଶାହା ରହିଛନ୍ତି। ଗତବର୍ଷ କେନ୍ଦ୍ରୀୟ ଚୁକ୍ତିରେ ସାମିଲ ଥିବା ସୁରେଶ ରାଇନା, ପାର୍ଥିବ ପଟେଲ, ଜୟନ୍ତ ଯାଦବ, ଅକ୍ଷର ପଟେଲ, କରୁଣ ନାୟାର ଓ ମୁରଲୀ ବିଜୟଙ୍କୁ ଏଥର ବାଦ୍‌ ଦିଆଯାଇଥିଲା ବେଳେ ପନ୍ତ୍‌, ରାୟୁଡୁ, ବିହାରୀ ଓ ଖଲିଲ ନୂଆ କରି ସାମିଲ ହୋଇଛନ୍ତି।