( ଭୁବନେଶ୍ୱର / ରିପୋର୍ଟସଟୁଡେ): ରଙ୍ଗବେରଙ୍ଗର ବେଲୁନ୍ ଦେଖିଲେ ସମସ୍ତଙ୍କ ମନ ଖୁସି ହୋଇଯାଏ। ମାତ୍ର ୧୯୮୬ ମସିହାରେ ଉତ୍ତର ଆମେରିକାର କ୍ଲିବଲାଣ୍ଡର ଓହିରେ ହୋଇଥିବା ବେଲୁନ୍ ଫେଷ୍ଟିଭାଲ କଥା ମନେ ପଡ଼ିଲେ ଭୟରେ ଦେହ ଥରି ଉଠୁଛି। ଏହି ମହୋତ୍ସବ ଖୁସି ବଦଳରେ ଆଣି ଦେଇଥିଲା ଅନେକ ଦୁଃଖ। ଏଥିରେ ଅନେକ ମରିହଜି ମଧ୍ୟ ଯାଇଥିଲେ। ଚାରିଟେବୁଲ ଅର୍ଗାନାଇଜେସନ ପକ୍ଷରୁ ଏହି ବେଲୁନ୍ ମହୋତ୍ସବର ଆୟୋଜନ କରାଯାଇଥିଲା। ବିଶ୍ୱ ରେକର୍ଡ କରିବାକୁ ଏକା ସାଙ୍ଗରେ ହଜାର ହଜାର ବେଲୁନ୍ ଆକାଶକୁ ଛାଡ଼ି ଦେଇଥିଲେ। ଏକାଥରକେ ୨ ମିଲିୟନ ଅର୍ଥାତ ୨୦ ଲକ୍ଷ ବେଲୁନ ହିଲିଅମ ଗ୍ୟାସରେ ଭର୍ତ୍ତି କରାଯାଇ ଆକାଶରେ ଛାଡ଼ିବା ପାଇଁ ଲକ୍ଷ୍ୟ ରଖିଥିଲେ। ଏହିକ୍ରମରେ ପ୍ରାୟ ୨୫୦୦ ଲୋକ ରାତିସାରା ବେଲୁନ ଫୁଙ୍କିବା କାର୍ୟ୍ୟରେ ଲାଗିଥିଲେ। ମେଳା ଆରମ୍ଭ ପୂର୍ବରୁ ସବୁକିଛି ଠିକ୍ଠାକ୍ ଥିଲା। ସମଗ୍ର କ୍ଲିବଲାଣ୍ଡବାସୀ ଏହି ଉତ୍ସବକୁ ଉପଭୋଗ କରିବା ପାଇଁ ପ୍ରସ୍ତୁତ ଥିଲେ। ମାତ୍ର କିଛି ସମୟ ମଧ୍ୟରେ ସବୁକିଛି ବଦଳି ଯାଇଥିଲା। ପାଗ ଖରାପ ଥିବାରୁ ୧୫ ଲକ୍ଷ ବେଲୁନ୍ ଉଡ଼ାଇବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଅଚାନକ ବର୍ଷା ହେବାରୁ ସହରବାସୀଙ୍କ ସବୁ ସ୍ବପ୍ନ ଧୂଳିସାତ୍ ହୋଇଗଲା। ଲୋକେ ଭାବିଥିଲେ ବେଲୁନ୍ ଆକାଶକୁ ଉଡ଼ିଯିବ ମାତ୍ର ବର୍ଷା ଯୋଗୁ ସବୁ ବେଲୁନ୍ ତଳକୁ ଚାଲିଆସିଲା। ଦେଖୁଦେଖୁ ସମଗ୍ର କ୍ଲିବଲାଣ୍ଡ ବେଲୁନ୍ରେ ଭରିଗଲା। ଏହା ଫାଟି ଯାଇ ସାରା ସହର ହିଲିୟମ ଗ୍ୟାସରେ ଭର୍ତ୍ତି ହୋଇଗଲା। ପରିସ୍ଥିତିର ଗମ୍ଭୀରତା ଦେଖି ଏୟାରପୋର୍ଟକୁ ୩୦ ମିନିଟ୍ ପର୍ୟ୍ୟନ୍ତ ବନ୍ଦ କରି ଦିଆଯାଇଥିଲା। ଉତ୍ତର ଆମେରିକାର ଇରି ହ୍ରଦ ପୂରା ବେଲୁନରେ ଆଚ୍ଛାଦିତ ହୋଇଗଲା। ଏହି ସମୟରେ ହ୍ରଦକୁ ମାଛ ମାରିବାକୁ ଯାଇଥିବା ୨ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିଲେ। ଏମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଉଦ୍ଧାରକାରୀ ଦଳ ବେଲୁନ ଯୋଗୁ କିଛି ସମସ୍ୟା ସାମ୍ନା କରିଥିଲେ। ଅନେକ ସମୟ ଖୋଜିବା ପରେ ମତ୍ସ୍ୟଜୀବୀ ଦ୍ୱୟଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏହା ପରେ ମତ୍ସ୍ୟଜୀବୀଙ୍କ ପତ୍ନୀ ବେଲୁନ ଉତ୍ସବ ଆୟୋଜନ କରିଥିବା ସଂଚାଳକଙ୍କ ନାମରେ ମାମଲା ରୁଜୁ କରିଥିଲେ। ଏଥିରେ ଆଉ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଥିଲା।