(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ଅନୁଗୋଳ ଜିଲ୍ଲାର ଗୁରୁଣ୍ଡୁ ଠାରେ ଗତ ବିଳମ୍ବିତ ରାତିରେ ଏକ ବୋଲେରୋକୁ ନାଇଟକୋଚ୍ ବସ ଧକ୍କା ଦେଇଥିବା ଜଣାପଡିଛି । ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନାନୁସାରେ ରାଇପୁରରୁ ଏକ ପରିବାରର ୯ ଜଣ ସଦସ୍ୟ ଏକ ବୋଲେରୋରେ ବୁଲିବାକୁ ଯାଇଥିଲେ । । ତେବେ ରାତି ପ୍ରାୟ ୨ ଟା ବେଳେ ଜାତୀୟ ରାଜପଥ ୫୫ର ଗୁରୁଣ୍ଡୁ ଠାରେ ଭୁବନେଶ୍ଵର ଅଭିମୁଖେ ଯାଉଥିବା ଏକ ବସ ବୋଲେରୋକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବୋଲେରୋରେ ଥିବା ଡ୍ରାଇଭର ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକ ମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ସୂଚନା ରହିଛି । ଖବର ପାଇ ପୋଲିସ ଘଟଣାସ୍ଥଳରୁ ଅନ୍ୟ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ଜିଲ୍ଲା ପ୍ରଶାସନ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଆହତ ମାନଙ୍କ ଅବସ୍ଥା ପଚାରି ବୁଝିଛି ।