(ସନ୍ତୋଷ ଲମ୍ବାତା / ରାୟଗଡା)ରିପୋର୍ଟସଟୁଡେ: ଦାରିଦ୍ର ସିମାରେଖା ତଳେ ଥିବା ପରିବାରକୁ ବାସଗୃହ ଯୋଗାଇଦେବା ନିମନ୍ତେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ଯୋଗ୍ୟହିତାଧିକାରୀ ମାନେ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏହାର ଏକ ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ କାର୍ୟାଳୟ ସମ୍ମୁଖରେ ଥିବା ଲମ୍ବତାସାହିର ଦିନମଜୁରିଆ ଭାବେ କାର୍ୟ କରିଆସୁଥିବା ମନମଥ ବାଣୁଆଙ୍କ ପରିବାର।ଆଜକୁ ବର୍ଷ ବର୍ଷ ଧରି ସ୍ଥାନୀୟ ବାସିନ୍ଦା ଭାବେ ରହିଆସୁଥିଲେ ସୁଧା ଘର ଖଣ୍ଡିଏ ପାଇବା ପାଇଁ ଅପେକ୍ଷା କରି ବସିଛନ୍ତି। ଏହି ପରିବାର କହିଲେ ତାଙ୍କ ସ୍ତ୍ରୀ ପ୍ରମିଳା ବାଣୁଆ,ଗୋଟିଏ ଝିଅ ଓ ଦୁଇ ପୁଅ । ଦିନକୁ ଦୁଇ ଓଳା ଖାଇବା ଓ ପିଲା ମାନଙ୍କ ପାଠ ପଢା ପାଇଁ ଅର୍ଥ ସାଜୁଛି ବାଧକ। କୁଲିମଜୁରୀ କରି ଯାହା ଟଙ୍କା ଉପାର୍ଜନ କରି ପରିବାରର ଭରଣପୋଷଣ କରିଆସୁଥିବାବେଳେ ସେତିକି ଟଙ୍କାରେ ପରିବାର ଚଳିବା ବହୁକଷ୍ଟକର ହୋଇପଡୁଛି ବୋଲି ମନମଥ କହିଛନ୍ତି। ତାହା ସାଙ୍ଗକୁ ଭଙ୍ଗାଦରଦରା କୁଡିଆ ଘରେ ପଲଥିନ୍ ଘୋଡାଇ ବହୁ କଷ୍ଟରେ ରହିଆସୁଥିବା ବେଳେ ବର୍ଷାଦିନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି।ଗତବର୍ଷ ଏକ ଘର କାର୍ୟ୍ୟରେ ମଜୁରି ଖଟିବାକୁ ଯାଇ ବିଦ୍ୟୁତ୍ ଆଘାତରେ ଆହାତ ହୋଇ ସ୍ବାସ୍ଥ୍ୟ ଅବସ୍ଥା ଦୁର୍ବଳ ହେବାଯୋଗୁଁ ଆଗଭଳି କଷ୍ଟକର କାର୍ୟ୍ୟ କରିବା ସମ୍ଭବ ହୋଇପାରୁନି। ବାରମ୍ବାର ଘର ଖଣ୍ଡିଏ ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ୍ କାର୍ୟାଳୟ ପର୍ୟ୍ୟନ୍ତ ଦଉଡି ଦଉଡି ନୟାନ୍ତ ହେଲେ ସୁଧା କୌଣସି ସଫଳ ମିଳିନାହିଁ। ଏହାପରେ ମଧ୍ୟ ଧର୍ୟ୍ୟହରା ନହୋଇ ଦୁଇ ଦୁଇ ଥର ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ୟ୍ୟକ୍ରମରେ ଅଭିଯୋଗ କରିଥିଲେ ମଧ୍ୟ ବ୍ଲକ୍ ପ୍ରଶାସନ ପକ୍ଷରୁ ଏହି ପରିବାର ଉପରେ ଦୃଷ୍ଟି ପଡୁନି। ଯଦି ବ୍ଲକ୍ କାର୍ୟ୍ୟାଳୟ ସମ୍ମୁଖରେ ଥାଇ ଏହି ପରିବାରକୁ ସହାୟତା ଯୋଗାଇଦିଆଯାଉନାହିଁ ତାହା ହେଲେ ଦୁର୍ଗମ ପଞ୍ଚାୟତ ଗୁଡିକରେ ଥିବା ଲୋକ ମାନଙ୍କୁ କିଭଳି ସରକରି ଯୋଜନା ଯୋଗାଇ ଦିଆଯାଉଥିବ ଏହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହି ବ୍ଲକ୍ ରେ ଆବାସ ଯୋଜନାରେ ଦୁର୍ନିତୀ ବାରମ୍ବାର ଲୋକ ଲୋଚନକୁ ଆସୁଥିଲେ ମଧ୍ୟ ରାଜନେତା ଓ ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଯୋଗ୍ୟ ହିତାଧିକାରିମାନେ ବଞ୍ଚିତ ହେଉଥିବାବେଳେ ଅଯୋଗ୍ୟ ହିତାଧିକାରୀ ସାମିଲ୍ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ତୁରନ୍ତ ଏହି ପରିବାରକୁ ଆବାସ ଯୋଜନାରେ ସାମିଲ୍ କରି ଘର ଖଣ୍ଡିଏ ଯୋଗାଇ ଦେବାକୁ ଦାବି ହେଉଛି।