(ରଜନୀକାନ୍ତ ପାତ୍ର /ଗଞ୍ଜାମ): ଭଞ୍ଜନଗର ଏନଏସିର ପରିମଳ ଓ ପରିବେଶ ପ୍ରତି ପ୍ରଶାସନ ଗୁରତ୍ୱ ଦେଉଥିବା ଦେଖାଦେଇଛି। ଭଞ୍ଜନଗର ଏନଏସିକୁ ସୁନ୍ଦର ଓ ନିର୍ମଳ ଏନଏସିରେ ପରିଣତ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି । ପ୍ରତି ୱାର୍ଡରେ କମିଟି ଗଠନ, କର୍ମଚାରୀଙ୍କୁ ତାଲିମ, ପ୍ରତ୍ୟେକ ସାହିରେ ବୈଠକ ଓ ଆଲୋଚନା ହୋଇଥିବା ବେଳେ ଅଧିକାଂଶ ବୈଠକରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଯୋଗଦେବାକୁ ନେଇ ଅନୁମାନ କଲେ ଏହା ଜଣାପଡୁଛି ଯେ ଭଞ୍ଜନଗର ଏନ.ଏ. ସି ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ସେହିପରି ଭଞ୍ଜନଗର ଏନ.ଏ.ସି ପ୍ରଶାସକ ତଥା ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ଭଞ୍ଜନଗର ଏନ.ଏ.ସି କାର୍ୟ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ୟ୍ୟ ଘରକୁ ଘର ଯାଇ ଲୋକଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି। ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ଜନସାଧାରଣଙ୍କୁ ନିଜ ସହରକୁ ପରିଷ୍କାର ଓ ସୁନ୍ଦର ରଖିବା ପାଇଁ ସଫେଇ କର୍ମଚାରୀଙ୍କୁ ସହଯୋଗ କରିବାକୁ ଅପିଲ କରିଥିଲେ। ସେହିପରି ପ୍ରତି ଦୋକାନରେ ପ୍ରତି ୫ମିଟର ପରିସର ମଧ୍ୟରେ ପରିସ୍କାର ପରିଚ୍ଛନ୍ନତା ରଖିବାକୁ ସେ କହିଥିଲେ। ଅଳିଆ ଆବର୍ଜନା ରାସ୍ତା ଓ ନର୍ଦ୍ଦମାରେ ନପକାଇ ନିଜ ଘର ଆଗରେ ବ୍ଲୁ ଏବଂ ଗ୍ରୀନ ଡ଼ଷ୍ଟପିନ ରେ ରଖିଲେ ସଫେଇ କର୍ମଚାରୀ ବୃନ୍ଦ ତାହା ଉଠାଇ ଗାଡ଼ିରେ ନେଇଯିବେ ବୋଲି ବୁଝାଉ ଥିବା ଜଣାପଡିଛି। ପ୍ରଶାସନିକ ତପ୍ତରତା ଯୋଗୁଁ ଭଞ୍ଜନଗର ଏନଏସି ଏକ ସୁନ୍ଦର ଏନଏସିରେ ପରିଣତ ହେବ ବୋଲି ଆଶା କରାଯାଉଛି।