ବାରିପଦା : ମହଙ୍ଗା ପଡ଼ିଲା ଦାଦାଗିରି । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ଗୁଣ୍ଡାଗିରି ପାଇଁ ଥାନାରେ ରୁଜୁ ହୋଇଛି ଏଫଆଇଆର । ବାରିପଦା ଟାଉନ ଥାନାରେ ମନ୍ତ୍ରୀଙ୍କ ବିରୋଧରେ ଏତଲା ଦେଲେ ଆହତ ଅଧିକାରୀ, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଉପନିର୍ଦ୍ଦେଶକ ଅଶ୍ୱନୀ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର । ଏହି ଦୁଇ ଅଧିକାରୀଙ୍କୁ ବିଶେଶ୍ୱର ଟୁଡ଼ୁ ବାରିପଦା ସ୍ଥିତ ବିଜେପିର ପାର୍ଟି ଅଫିସକୁ ଫାଇଲ ଆଣିବା ପାଇଁ କହିଥିଲେ । କିନ୍ତୁ କୋଡ଼୍ ଅଫ୍ କଣ୍ଡକ୍ଟ ଲାଗିଥିବାରୁ ସେମାନେ ଫାଇଲ ଦେବାକୁ ମନା କରିଥିଲେ । ଏହାପରେ ଦିଲ୍ଲୀ ଅଫିସରୁ ଫୋନ ଆସିବାରୁ ଦୁଇ ଅଧିକାରୀ ପାର୍ଟି ଅଫିସକୁ ଯିବା ପାଇଁ ବାଧ୍ୟ ହୋଇଥିଲେ । ପାର୍ଟି ଅଫିସରେ ପହଂଚିବା ମାତ୍ରେ ମନ୍ତ୍ରୀ ପ୍ରଥମେ ଲୁହା ରଡ଼ରେ ଉପନିର୍ଦ୍ଦେଶକଙ୍କୁ ଆକ୍ରମଣ କରିବା ସହ ପ୍ଲାଷ୍ଟିକ ଚେୟାରରେ ସହକାରୀ ନିର୍ଦ୍ଦେଶକଙ୍କୁ ଆକ୍ରମଣ କରିଥିବା ସୂଚନା ରହିଛି ।
ସୂଚନା ଅନୁଯାୟୀ , କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ରେ ଉପନିର୍ଦ୍ଦେଶକ ଅଶ୍ୱନୀ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର ଗୁରୁତର ଆହତ ହୋଇଛନ୍ତି । ବିଜେପି ପାର୍ଟି ଅଫିସ ମଧ୍ୟରେ କବାଟ ବନ୍ଦ କରି ଆକ୍ରମଣ କରି ହାତ ଭାଙ୍ଗିବା ଅଭିଯୋଗ ହୋଇଛି । ଦେବାଶିଷ ବାମ ହାତ ଭାଙ୍ଗି ଯାଇଥିବା ବେଳେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା । ସେମାନେ ପିଆରଏମ ମେଡ଼ିକାଲରେ ଭର୍ତ୍ତି ହୋଉଥିବା ସୂଚନା । ଏହି ଘଟଣାରେ ପୁଲିସ ତଦନ୍ତ ଚଳାଇଛି ।