ମହାଗଠବନ୍ଧନରେ ଯୋଗଦେବାକୁ ଭାବିବାକୁ ହେବ: ନବୀନ

0

ଋିପୋର୍ଟରସ୍ ଟୁଡେ: ଦିଲ୍ଲୀରେ ବିଜେଡି ପକ୍ଷରୁ ଆୟୋଜିତ ତଥାକଥିତ କୃଷି ଅଧିକାର ଲଢ଼େଇ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ବିରୋଧୀ ମହାମେଣ୍ଟରେ ଯୋଗଦେବା ନେଇ କହିଛନ୍ତି, ମହାଗଠବନ୍ଧନରେ ଯୋଗ ଦେବା ନେଇ ଆଉ କିଛି ସମୟ ଭାବିବାକୁ ପଡ଼ିବ।
ଜାତୀୟ ଗଣମାଧ୍ୟମଗୁଡ଼ିକ ନବୀନଙ୍କୁ ମହାଗଠନ ବନ୍ଧନରେ ବିଜେଡି ଯୋଗଦେବ କି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେଇ ସେ କହିଛନ୍ତି, “ ଯଦି ଆମେ ମହାଗଠବନ୍ଧନ କଥା ବିଚାରକୁ ନେବା, ତା’ହେଲେ ଏଥିପାଇଁ ଆମକୁ ଆଉ କିଛି ସମୟ ଦରକାର। ଆମେ ଏ ସମ୍ପର୍କରେ ଚିନ୍ତା କରିବା ପରେ ନିଷ୍ପତ୍ତି ନେବୁ।”
ନିର୍ବାଚନ ବୈତରଣୀ ପାର୍‌ ହେବାକୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଢାଲ କରି ବିଜେଡି ଆଜି ଦିଲ୍ଲୀରେ ଦଳୀୟ କର୍ମୀଙ୍କୁ ନେଇ କେନ୍ଦ୍ର ଉପରେ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରିଥିଲା। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୭୫୦ରୁ ୨୯୩୦ କରିବାକୁ ବିଜେଡି ମୁଖିଆ ଦାବି ଉପସ୍ଥାପନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ। କେନ୍ଦ୍ର ସରକାର ଧାନର ଏମଏସ୍‌ପି ବୃଦ୍ଧି ନ କରି ଖସି ଯାଇ ପାରିବେ ନାହିଁ। କାରଣ ଏମଏସ୍‌ପି ବୃଦ୍ଧି କରିବା କେନ୍ଦ୍ର ସରକାରଙ୍କ କର୍ତ୍ତବ୍ୟ। ଆମେ ବାରମ୍ବାର ଦାବି କରୁଥିଲେ ହେଁ ଏହାକୁ କେନ୍ଦ୍ର ସରକାର ଶୁଣୁନାହାନ୍ତି ବୋଲି ନବୀନ ଅଭିଯୋଗ କରିଥିଲେ। ଏଥିସହ ବିଜେଡି ସଭାପତି ନବୀନଙ୍କ ନେତୃତ୍ୱରେ ଏକ ଟିମ୍‌ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଭେଟି ସ୍ମାରକପତ୍ର ଦେଇଛନ୍ତି।