ଭୁବନେଶ୍ୱର:ଏତଦ୍ବ୍ୟତୀତ ଚାଷୀ ମାନଙ୍କୁ ସୁବିଧାରେ ଏବଂ ଶୀଘ୍ର କୃଷି ଋଣ ଯୋଗାଣ ଏବଂ କ୍ଷୁଦ୍ର, ମଧ୍ୟମ ଓ ଅଣୁ ଶିଳ୍ପର ପୁନରୁଦ୍ଧାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। କୋଭିଡ ପରିଚାଳନା ସଂପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ମହାମାରୀ ସମୟରେ ଆତ୍ମସନ୍ତୋଷ ହିଁ ସବୁଠାରୁ ବଡ ଶତ୍ରୁ । ତେଣୁ ସାଧାରଣ ଲୋକ ହୁଅନ୍ତୁ, ବା ସରକାରୀ କର୍ମଚାରୀ ସମସ୍ତେ ଏଥିପ୍ରତି ସତର୍କ ରହି କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ରାଜ୍ୟରେ ଅଧିକ ଟେଷ୍ଟିଂ କରାଯାଉଥିବା ସହିତ ପଜିଟିଭ ହାର କମିଥିବା ଏବଂ ମୃତ୍ୟୁ ହାର ମଧ୍ୟ କମି ଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ହଟସ୍ପଟ ଜିଲ୍ଲା ମାନଙ୍କରେ ଯେଉଁ ଅଞ୍ଚଳଭିତ୍ତିକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି, ତାକୁ କଡାକଡ ଭାବରେ ପାଳନ କରିବା ସହିତ ଆଗାମୀ ସପ୍ତାହ ବେଳକୁ ଯେଭଳି ପରିସ୍ଥିତିରେ ଆଖିଦୃଶିଆ ଉନ୍ନତି ଆସିପାରିବ, ସେ ଦିଗରେ କାମ କରିବା ପାଇଁ ଜିଲ୍ଲା ପର୍ୟ୍ୟବେକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ଆଞ୍ଚଳିକ କୋଭିଡ ଚିକିତ୍ସାଳୟ ମାନଙ୍କରେ ଆବଶ୍ୟକ ମୁତାବକ ଓଉଟ ଶଯ୍ୟାର ଉପଲବ୍ଧତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ତା ସହିତ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରି ସରକାରୀ ଅଫିସ ଗୁଡିକୁ ସଂକ୍ରମଣମୁକ୍ତ ରଖିବାକୁ ସବୁପ୍ରକାର ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
କୋଭିଡ ଯୋଦ୍ଧା ମାନଙ୍କ ଭିତରେ ସଂକ୍ରମଣ ହାର କମୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। କୃଷି ମନ୍ତ୍ରୀ ଅରୁଣ ସାହୁ, ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଗ୍ରାମ୍ୟ ଅର୍ଥନୀତି ପୁନରୁଦ୍ଧାର ପ୍ୟାକେଜ, ପ୍ଲାଜମା ସଂଗ୍ରହ ଏବଂ ଅନ୍ୟ ରାଜ୍ୟରୁ ଆସିଥିବା ଓଡିଆ ଶ୍ରମିକ ମାନଙ୍କର ପଞ୍ଜିକରଣ ସମସ୍ୟା ଆଦି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ରାଜ୍ୟର ଅର୍ଥନୀତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ବିସ୍ତୃତ ଭାବରେ ଅବଗତ କରାଇଥିଲେ ଏବଂ ଜୁଲାଇ ମାସରୁ ପରିସ୍ଥିତିରେ ସୁଧାର ପରିଲକ୍ଷିତ ହେଉଛି ବୋଲି ଜଣାଇଥିଲେ।
ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ତାଙ୍କ ଉପସ୍ଥାପନାରେ କୋଭିଡ ପରିସ୍ଥିତି ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଉପସ୍ଥାପନାରୁ ଜଣାଯାଇଛି ଯେ ରାଜ୍ୟରେ ସୁସ୍ଥତା ହାର ଗତ ସପ୍ତାହରୁ ବଢି ୭୧.୩ ପ୍ରତିଶତରେ ପହଞ୍ଚିଥିବା ବେଳେ ମୃତ୍ୟୁ ହାର ହ୍ରାସ ପାଇ ୦.୫ ପ୍ରତିଶତ ହୋଇଛି। ୫୪ ପ୍ରତିଶତ ସକ୍ରିୟ ସଂକ୍ରମିତ ରୋଗୀ ଗୃହ ସଂଗରୋଧରେ ରହୁଛନ୍ତି । ସେହିପରି ପୋଲିସ, ଅଗ୍ନିଶମ ଓ ଓଡିଆରଏଫ ର କର୍ମଚାରୀ ପ୍ଲାଜମା ଦାତା ମାନଙ୍କ ମଧ୍ୟରେ ଆଗୁଆ ରହିଛନ୍ତି । କଟକ, ବାଲେଶ୍ବର ଓ କେନ୍ଦ୍ରାପଡା ଜିଲ୍ଲା ପ୍ଲାଜମା ସଂଗ୍ରହ କ୍ଷେତ୍ରରେ ବହୁତ ଭଲ କାମ କରିଥିବା ବେଳେ ମାଲକାନଗିରି, ବୌଦ ଓ ରାୟଗଡ ଜିଲ୍ଲା ଗୃହ ସଂଗରୋଧ କ୍ଷେତ୍ରରେ ବହୁତ ଭଲ କାମ କରିଛନ୍ତି। ଆସନ୍ତା ୨୮ ତାରିଖରୁ ଭୁବନେଶ୍ବରରେ ଦ୍ବିତୀୟ ପର୍ୟ୍ୟାୟ ଏବଂ ରାଉରକେଲାରେ ପ୍ରଥମ ପର୍ୟ୍ୟାୟ ସେରୋ ସର୍ଭେ କାର୍ୟ୍ୟ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଆସନ୍ତାକାଲି କୋରାପୁଟରେ ଆଉ ଏକ ପ୍ଲାଜମା ବ୍ୟାଙ୍କ ଖୋଲାଯିବ।
କଟକ,ଖୋର୍ଦ୍ଧା, ସୁନ୍ଦରଗଡ ଓ ରାୟଗଡା ଜିଲ୍ଲାର କୋଭିଡ ପରିସ୍ଥିତି ଓ ମୁକାବିଲା ସଂପର୍କରେ ଜିଲ୍ଲା ପର୍ୟ୍ୟବେକ୍ଷକ ଓ ମ୍ୟୁନିସପାଲ କମିଶନର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। କଟକରେ କୋଭିଡ ମୁକାବିଲା ପାଇଁ ଯେକୌଣସି ଅତିରିକ୍ତ ସହାୟତା ଆବଶ୍ୟକ ହେଲେ ତୁରନ୍ତ ରାଜ୍ୟ ସରକାରଙ୍କୁ ଜଣାଇ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେହିପରି ରାଉରକେଲାରେ କୋଭିଡ ମୁକାବିଲାରେ ନିୟୋଜିତ ବିଭିନ୍ନ ସଂସ୍ଥା ମାନଙ୍କ ମଧ୍ୟରେ ଅଧିକ ସମନ୍ବୟ ରଖି କୋଭିଡ ପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ବୈଠକରେ ରାଜ୍ୟରେ ବର୍ଷା ଓ ସମ୍ଭାବିତ ବନ୍ୟା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇ କହିଥିଲେ ଗତ ଦୁଇ ଦିନ ଭିତରେ ରାଜ୍ୟର ୯ଟି ଜିଲ୍ଲାରେ ହାରାହାରି ୧୦୦ ମିଲିମିଟର ବର୍ଷା ହୋଇଛି। ବୈତରଣୀ, ବୁଢାବଳଙ୍ଗ ଓ ସାଳନ୍ଦୀ ନଦୀରେ ଅଧିକ ପାଣି ଆସିଛି। ଆଜି ରାତି ଠାରୁ ଆସନ୍ତା କାଲି ମଧ୍ୟରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ବୈତରଣୀ, ବୁଢାବଳଙ୍ଗ ଓ ତେଲ ଆଦି ନଦୀରେ ମଧ୍ୟମ ଧରଣର ବନ୍ୟା ଆସିବାର ସମ୍ଭାବନା ରହିଛି। ଲୋକଙ୍କୁ ବନ୍ୟା ସମୟରେ ଉଦ୍ଧାର କରିବା ପାଇଁ ୧୦ଟି ଓଡିଆରଏଫ ଟିମ ଓ ଅଗ୍ନିଶମ ସେବା ୟୁନିଟ୍ ନିୟୋଜିତ ହୋଇଛନ୍ତି। ନଦୀବଂଧ ଗୁଡିକରେ ପାଟ୍ରୋଲିଂ କରାଯାଉଛି । ଜଳପ୍ଲାବିତ ଅଞ୍ଚଳ ଗୁଡିକରେ ଜଳ ନିଷ୍କାସନର ବ୍ୟବସ୍ଥା କରାଯାଉଛି। ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗୀୟ ସଚିବ ମାନଙ୍କ ସହିତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ପୋଲିସ ମହାନିର୍ଦ୍ଦେଶକ ଅଭୟ, ଗୃହ ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରା ଆଦି ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକ ସଞ୍ଚାଳନ କରିଥିଲେ।