(ଶିଳାସ୍ମିିତା ରାୟ) ଭୁବନେଶ୍ୱର: ଆଜି ଦିଲ୍ଲୀ ମାଓ ଦମନ ଅପରେଶନ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବରଙ୍ଗପୁର, ମାଲକାନଗିରି ଜିଲ୍ଲାରେ ରେଳପଥ ନିର୍ମାଣ କରିବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାର ଏଥିନେଇ ମାଗଣା ଜମି ଯୋଗାଇବା ସହ ଅଧା ଖର୍ଚ୍ଚ ବହନ କରିବ ବୋଲି ନବୀନ କହିଛନ୍ତି। ସେ ଆହୁରି ଦାବି କରିଛନ୍ତି କି, ମାଓପ୍ରଭାବିତ ବ୍ଲକରେ ଟେଲି-ଯୋଗାଯୋଗ ଓ ବ୍ୟାଙ୍କିଙ୍ଗ୍ ସୁବିଧା ଉପଲବ୍ଧ କରାଯାଉ ।
ଆଜି ଦିଲ୍ଲୀରେ ମାଓ ଦମନ ଅପରେସନର ସମୀକ୍ଷା ବୈଠକ ହୋଇଛି । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବୈଠକରେ ମାଓ ପ୍ରବଣ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇଛନ୍ତି । ଏହି ବୈଠକରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଗୃହ ମନ୍ତ୍ରାଳୟ ଗୁଇନ୍ଦା ବିଭାଗ ଏବଂ ଅର୍ଦ୍ଧ ସାମରିକ ବାହିନୀର ବରିଷ୍ଠ ଅଧିକାରୀମାନେ ଯୋଗଦେଇଛନ୍ତି । ନକ୍ସଲ ପ୍ରଭାବିତ ଝାରଖଣ୍ଡ, ଛତିଶଗଡ, ଓଡିଶା, ପଶ୍ଚିମବଙ୍ଗ. ବିହାର, ମହାରାଷ୍ଟ୍ର, ତେଲେଙ୍ଗାନା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଏହି ବୈଠକରେ ଭାଗନେଇଥିବା ବେଳେ କେବଳ ମମତା ବାନାର୍ଜୀ ଏଥିରେ ସାମିଲ ହୋଇନାହାନ୍ତି ।