(ଓମ ପ୍ରକାଶ ମିଶ୍ର)ସୁବର୍ଣ୍ଣପୁର: ଆଗାମୀ ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ ବିଶାଖା ନକ୍ଷତ୍ରେ ଯୋଗ ବ୍ରହ୍ମ, ତୁଳା ରାଶି ଲଗ୍ନେ ମାହେନ୍ଦ୍ର ବେଳା ସକାଳ ୯ଟା ୫୭ ମିନିଟରୁ ୧୦ଟା ୧୧ ମିନିଟ ମଧ୍ୟରେ ମା’ ସୁରେଶ୍ବରୀଙ୍କ ପାଖରେ ନବାନ୍ନ ସମର୍ପଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ପୂଜାରୀ କଳସ ସ୍ଥାପନ କଲାପରେ ପଣ୍ଡିତମାନଙ୍କ ଭିତରେ ଆଲୋଚନା ହୋଇଥିଲା । ନିର୍ଦ୍ଧାରିତ ସରକାରୀ ଛୁଟିରେ ହିଁ ନବାନ୍ନ ପାଳନ କରିବାକୁ ପଣ୍ଡିତ ମହାସଭା ତାଙ୍କ ବିଚାର ରଖିଥିଲେ । ସହରର ଅଷ୍ଟ ଚଣ୍ଡୀଙ୍କ ପାଖରେ ନବାନ୍ନ ସମର୍ପଣ କରିବା ପରେ ସୁବର୍ଣ୍ଣପୁର ଜିଲ୍ଲା ଓ ବୌଦ୍ଧ ଜିଲ୍ଲା ପଞ୍ଚରା ଅଞ୍ଚଳର ଜନସାଧାରଣ ନିଜ ନିଜର ଇଷ୍ଟଦେବ-ଦେବୀଙ୍କ ପାଖରେ ନବାନ୍ନ ଅର୍ପଣ କରି ଗ୍ରହଣ କରିବା ପାଇଁ ପଣ୍ଡିତ ମହାସଭା ଲଗ୍ନ ଧାର୍ୟ୍ୟ କରିଛନ୍ତି ।ନିର୍ଦ୍ଧାରିତ ଲଗ୍ନର ଘଣ୍ଟାଏ ପୂର୍ବରୁ ମା’ ସମଲେଶ୍ବରୀ ମନ୍ଦିରରେ ଅଷ୍ଟଚଣ୍ଡୀଙ୍କ ପାଇଁ ପାହୁର ବାଢିବା ସହିତ ପାହୁର ଶୋଭାଯାତ୍ରା ସମ୍ପନ୍ନ କରିବାକୁ ପଣ୍ଡିତ ମହାସଭା ପୌର ପରିଷଦ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି । ସର୍ବ ସମ୍ନତି କ୍ରମେ ନିଷ୍ପତ୍ତି ନିଆଯିବା ପରେ ଶ୍ରୀ ବଡ ଜଗନ୍ନାଥଙ୍କ ପାଖରେ ସ୍ଥିର ଲଗ୍ନ ପତ୍ର ସମର୍ପଣ କରାଯାଇଛି ।ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଏହି ଗଣପର୍ବ ଗୋଟିଏ ଦିନରେ ପାଳନ କରାଯାଉଥିବା ବେଳେ ଲଗ୍ନ ନିର୍ଣ୍ଣୟ ପରମ୍ପରା କିନ୍ତୁ ଅଲଗା ।ସେଠାରେ ବ୍ରାହ୍ମଣ ମହାସଭାର କର୍ମକର୍ତ୍ତା ,ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।