ରଜ ପରେ ଓଡ଼ିଶା ମୌସୁମୀର ପହିଲି ସ୍ପର୍ଶ ପାଇବ

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଆସନ୍ତା ୬ ତାରିଖରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗ କହୁଥିବା ବେଳେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ୭ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି କହିଛି। ଏଥିରେ ଗୋଟିଏ ବା ଦୁଇଦିନ ଆଗ ପଛ ମଧ୍ୟ ହୋଇପାରେ ବୋଲି ସଂସ୍ଥା ଅନୁମାନ କରିଛି।
ଅନ୍ୟପକ୍ଷରେ କେରଳ ଛୁଇଁବାର ୧୦ରୁ ୧୨ ଦିନ ପରେ ମୌସୁମୀ ଓଡ଼ିଶା ପ୍ରବେଶ କରିଥାଏ। ଯଦି କେରଳରେ ଏହା ୬ କିମ୍ବା ୭ରେ ପ୍ରବେଶ କରିବ, ତା’ହେଲେ ରଜ ପରେ ଯାଇ ଓଡ଼ିଶା ମୌସୁମୀର ପହିଲି ସ୍ପର୍ଶ ପାଇବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ କହିଛି ଯେ “ମେ’ ୧୮ ତାରିଖରେ ମୌସୁମୀ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଛୁଇଁଥିଲା। ତେବେ ପ୍ରତିକୂଳ ପରିସ୍ଥିତି ଯୋଗୁ ଏହା ଆଗକୁ ବଢ଼ି ପାରି ନଥିଲା। ତେବେ ଆସନ୍ତା ୨ରୁ ୩ ଦିନ ହେଲା ମୌସୁମୀ ପୁଣି ସକ୍ରିୟ ହେବାରେ ଲାଗିଛି। ଏବେ ମୌସୁମୀ ଆଣ୍ଡାମାନରେ ରହିଛି। ମୌସୁମୀ ଆସିବାରେ ବିଳମ୍ବ ହେଉଥିଲେ ଏଥର ସ୍ୱାଭାବିକ ବୃଷ୍ଟି ପାତ ହେବ। ଜୁନ୍‌ରୁ ସେପ୍ଟେମ୍ବର ଯାଏ ସମଗ୍ର ଦେଶରେ ସ୍ୱାଭାବିକ ବର୍ଷା ହେବାର ସମ୍ଭାବନା ରହିଛି।”