(ମନୋଜ କୁମାର ସାହୁ / ରାୟଗଡା): ରାୟଗଡା ସହରରେ ରତ୍ନ ପଥର ଜବତକୁ ନେଇ ରାଜନୈତିକ ମହଲରେ ସରଗରମ ବଢ଼ିବାରେ ଲାଗିଛି। ଗତକାଲି ଜିଲ୍ଲା କଂଗ୍ରେସ ପରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଇସ୍ତଫା ଦାବି କରାଯାଇଛି। ବିଷମକଟକ ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ଜିଲ୍ଲା ବିଜେପି ସଭାପତି ଶିବ ଶଙ୍କର ଉଲ୍ଲାକା ଏବଂ ରାୟଗଡା ବିଧାୟକ ପ୍ରାର୍ଥୀ ବସନ୍ତ କୁମାର ଉଲାକା ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତ ଜିତେନ୍ଦ୍ର ବେହେରା ସହ ସରକାରୀ କଳର ମନ୍ତ୍ରୀଙ୍କ ସମ୍ପର୍କକୁ ନେଇ ତାଙ୍କ ଇସ୍ତଫା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି। ଗତ ୭ ତାରିଖରେ ରାୟଗଡା ସହରର ଜଗନ୍ନାଥ କମ୍ପ୍ଲେକ୍ସରୁ କ୍ରାଇମବ୍ରାଞ୍ଚ ଏସଟିଏଫ ଓ ପୋଲିସ ଦ୍ଵାରା ୧୫୧କେଜି ରତ୍ନପଥର ଜବତ କରିଥିଲେ । ଏଥିରେ ଅଭିଯୁକ୍ତ ଜିତେନ୍ଦ୍ର ବେହେରା ଦୀର୍ଘ ଦିନ ଗଂଜେଇ ଓ ରତ୍ନ ପଥର ବ୍ୟବସାୟ କରୁଥିବା ବେଳେ ଶାସକ ଦଳ ବହୁ ନେତାଙ୍କ ସହ ତାଙ୍କ ସଂପର୍କ ରହିଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସହ ତାଙ୍କର ଏହି ରତ୍ନପଥର ଲିଙ୍କ ରହିଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ମନ୍ତ୍ରୀ ଓ ବିଧାୟକଙ୍କ ସହ ଜିତେନ୍ଦ୍ରର ଫଟୋ ଘୁରି ବୁଲୁଥିବା ବେଳେ ମୁଖ୍ୟମନ୍ତ୍ରୀ ତୁରନ୍ତ ତଦନ୍ତ କରି ମନ୍ତ୍ରୀଙ୍କୁ ବହିଷ୍କାର କରି ପଦକ୍ଷେପ ନେବାକୁ ଦାବି କରିଛି ।ଏହା ସହ ମନ୍ତ୍ରୀ ଜଗନ୍ନାଥ ସାରକା ତୁରନ୍ତ ନିଜ ପଦବୀରୁ ଇସ୍ତଫା ଦେବାକୁ ଦାବି କରିଛନ୍ତି । ନଚେତ ଆଗକୁ ଆନ୍ଦୋଳନ କରାଯିବ ବୋଲି ଘୋଷଣା କରାଯାଇଛି। ତେବେ ଏହି ସମ୍ପର୍କକୁ ଖଣ୍ଡନ କରିଛନ୍ତି ଜଗନ୍ନାଥ ସାରକା ଏଭଳି ଅଭିଯୋଗ ଭୀତିହୀନ ବୋଲି କହିଛନ୍ତି । ଏପରି ଅଭିଯୋଗକୁ ସେ ନିନ୍ଦା କରି ତଦନ୍ତ ହେଲେ ସମସ୍ତ ସତ୍ୟ ବାହାରିବ ବୋଲି କହିଛନ୍ତି। ଯିଏ ଦୋଷୀ ସେ ଦଣ୍ଡ ପାଇବ ବୋଲି ପ୍ରକାଶ କରିଛନ୍ତି।ଏହି ଘଟଣାରେ ମନ୍ତ୍ରୀ ଜଗନ୍ନାଥ ସାରକା କ୍ରାଇମବ୍ରାଞ୍ଚ ଏସଟିଏଫର ତଦନ୍ତକୁ ସ୍ୱାଗତ କରିବା ସହ ଦୋଷୀ ବିରୁଦ୍ଧରେ କଡ଼ା ପଦକ୍ଷେପ ନିଆଯାଉ ବୋଲି ଦାବି କରିଥିଲେ।