ଭୁବନେଶ୍ୱର: ମହାନଦୀରେ ମଧ୍ୟମରୁ ବଡ଼ ଧରଣର ବନ୍ୟା ଆସୁଛି । ଏଭଳି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । ସେ କହିଛନ୍ତି ଯେ, ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଛି । ସକାଳ ସୁଦ୍ଧା ଉପରମୁଣ୍ଡରେ ୨୦୦ ମିମି ବର୍ଷା ରେକର୍ଡ କରାଯାଇଛି । କଲମାରୁ ୫ ଲକ୍ଷ, ଇବ ଓ ଭେଡେନରୁ ୨.୫ ଲକ୍ଷ କ୍ୟୁସେକ ଜଳ ଆସୁଛି । ଏମିତି ଭାବେ ହୀରାକୁଦକୁୁ ୮ ଲକ୍ଷ କ୍ୟୁସେକ ଜଳ ପଶୁଛି । ଏବେ ହୀରାକୁଦର ଜଳସ୍ତର ୬୨୫ ଫୁଟ ରହିଛି । ଆମେ ହୀରାକୁଦରୁ ୬ଲକ୍ଷ କ୍ୟୁସେକ ଜଳ ଛାଡ଼ୁଛୁ ।ଏବେ ୨୪ଟି ଗେଟ ଖୋଲିଛି । ଆଉ ୩୬ଟି ଗେଟ ଖୋଲାଯିବ । ହୀରାକୁଦ ପରେ ମହାନଦୀରେ ତେଲ, ସୁକତେଲ ଓ ଜିରା ନଦୀ ଜଳ ମିଶିବ । ହୀରାକୁଦରୁ ଆସୁଥିବା ଜଳ ମୁଣ୍ଡଳିରେ ପହଞ୍ଚିବାକୁୁ ୩୬ ଘଣ୍ଟା ଲାଗିବ । ଏ ସବୁ ମୁଣ୍ଡଳିରେ ପହଞ୍ଚିଲା ବେଳକୁ ୧୦ରୁ ସାଢେ ୧୦ ଲକ୍ଷ କ୍ୟୁସେକ ହେବ । ୧୦ ଲକ୍ଷରୁ ଅଧିକ ହେଲେ ମଧ୍ୟମରୁ ବଡ଼ ଧରଣର ବନ୍ୟା କୁହାଯାଏ । ସୁତରାଂ ମହାନଦୀରେ ମଧ୍ୟମରୁ ବଡ଼ ଧରଣର ବନ୍ୟା ଆକଳନ କରାଯାଉଛି । ଏହା ଦ୍ୱାରା ପୁରୀ, କଟକ, ଜଗତସିଂହପୁର ଆଦି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଥିବା ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି ।